କରୋନା ଟେଷ୍ଟ ନାଁରେ ଯୁବତୀଙ୍କ ସହ ଏପରି କଲେ ଲ୍ୟାବ୍‌ ଟେକ୍‌ନିସିଆନ

ମୁମ୍ବାଇ, ୨୭।୭: କରୋନା ମହାମାରୀ ଦ୍ୱାରା ଭାରତରେ ସର୍ବାଧିକ ପ୍ରଭାବିତ ହୋଇଥିବା ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି। ତେବେ ଏଭଳି ଏକ ସଙ୍ଗୀନ ପରିସ୍ଥିତିରେ ସେହି ମହାରାଷ୍ଟ୍ରରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଅମରାବତୀରେ ଜଣେ ଲ୍ୟାବ୍‌ ଟେକ୍‌ନିସିଆନ କରୋନା ଟେଷ୍ଟ ପାଇଁ ଯୁବତୀଙ୍କ ଯୌନାଙ୍ଗରୁ ନମୁନା ନେଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ଯୁବତୀ ଜଣଙ୍କ ଥାନାରେ ମାମଲା ରୁଜୁ କରିବା ପରେ ବଳାତ୍କାର ମାମଲାରେ ଲ୍ୟାବ୍‌ ଟେକ୍‌ନିସିଆନଙ୍କୁ ଗିରଫ କରାଯାଇଛି।
ସଙ୍ଗୀନ ଘଟଣାଟି ଅମରାବତୀର କୋଭିଡ୍‌ ଟ୍ରମା ସେଣ୍ଟର ଲ୍ୟାବ୍‌ରେ ଘଟିଛି। ଘଟଣାରୁ ଜଣାପଡ଼ିଛି ଯେ ଯୁବତୀ ଜଣଙ୍କ ଏକ ସର୍ଭିସ ଷ୍ଟୋର୍‌ରେ କାମ କରନ୍ତି। ନିକଟରେ ସେ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଯାହା ଫଳରେ ଷ୍ଟୋର୍‌ର ସମସ୍ତ କର୍ମଚାରୀଙ୍କୁ କରୋନା ଟେଷ୍ଟ କରିବା ପାଇଁ କୁହାଯାଇଥିଲା। ସମସ୍ତ କର୍ମଚାର ଏକ ସରକାରୀ ଲ୍ୟାବ୍‌ରେ ପରୀକ୍ଷା କରାଇଥିଲେ। ପ୍ରଥମେ ପାଟିରୁ ସ୍ବାବ୍‌ ସଂଗ୍ରହ କରାଯିବା ପରେ ଲ୍ୟାବ୍‌ ଟେକ୍‌ନିସିଆନ ଜଣଙ୍କ ଯୁବତୀଙ୍କୁ କହିଥିଲେ, ତୁମ ରିପୋର୍ଟ ପଜିଟିଭ ଆସିଛି। ତେଣୁ ତୁମର ୟୁରିନ୍‌ ଟେଷ୍ଟ ହେବ। ଏହାପରେ ୟୁରିନ୍‌ ଟେଷ୍ଟ ପରେ ଯୁବତୀଜଣଙ୍କ ଘରକୁ ଯାଇ ତାଙ୍କ ଭାଇକୁ ଏ ସମସ୍ତ ଘଟଣା କରିଥିଲେ। ଏହାପରେ ଯୁବତୀଙ୍କ ଭାଇ ସନ୍ଦେହ କରି ଜଣେ ଡାକ୍ତରଙ୍କ ସହ ଏନେଇ ଯୋଗାଯୋଗ କରିଥିଲେ। କରୋନା ଟେଷ୍ଟ ପାଇଁ ଏହିଭଳି କୌଣସି ଟେଷ୍ଟ କରିବାକୁ ପଡ଼ିବ ନାହିଁ ବୋଲି ଡାକ୍ତରଙ୍କଠାରୁ ନିଶ୍ଚିତ ହେବାପରେ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ସେହି ଲ୍ୟାବ୍‌ ଟେକ୍‌ନିସିଆନଙ୍କୁ ଗିରଫ କରିଛି। ମହାରାଷ୍ଟ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯଶୋମତୀ ଠାକୁର ଏହି ଘଟଣାକୁ ଗମ୍ଭୀରତା ସହ ନେଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Share