Categories: ଜାତୀୟ

କୁନୋ ନ୍ୟାଶନାଲ ପାର୍କର ଚିତାଙ୍କୁ ମିଳିବେ ନୂଆ ବନ୍ଧୁ

ଭୋପାଳ,୧୬।୨: ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ଥିବା ଚିତାଙ୍କ ପାଇଁ ଆଉ କେତେକ ନୂଆ ବନ୍ଧୁ ଆସିିବାକୁ ଯାଉଛି। ଭାରତରେ ବିଲୁପ୍ତ ହୋଇଥିବା ଚିତାକୁ ପୁନଃସ୍ଥାପିତ କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି। ଏହାର ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୨ଟି ଚିତା ଭାରତକୁ ଅଣାଯିବ। ଗୁରୁବାର କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏନେଇ ସୂଚନା ଦେଇଛନ୍ତି। ପ୍ରୋଜେକ୍ଟ ଚିତା ଅଧୀନରେ ଫେବୃଆରୀ ୧୮ରେ କୁନୋ ନ୍ୟାଶନାଲ ପାର୍କକୁ ୧୨ଟି ନୂଆ ଚିତା ଆସିବେ। ଚଳିତ ଥର ସମସ୍ତ ଚିତା ଦକ୍ଷିଣ ଆଫ୍ରିକାରୁ ଅଣାଯାଉଛି। ସେଥିରେ ୭ଟି ପୁରୁଷ ଚିତା ଥିବା ବେଳେ ୫ଟି ମହିଳା ଚିତା ରହିଛନ୍ତି। ଏହି ୧୨ଟି ଚିତା ଆସିବା ପରେ ବର୍ତ୍ତମାନ ପାର୍କରେ ମୋଟ ଚିତା ସଂଖ୍ୟା ୨୦ ହେବ। ଏହି ଚିତାଗୁଡ଼ିକୁ ଭାରତ ଆଣିବା ପାଇଁ ଗୁରୁବାର ସକାଳେ ହିନ୍ଦନ ଏୟାରବେସରୁ ଏକ ସ୍ବତନ୍ତ୍ର ବାୟୁସେନା ବିମାନ ଉଡ଼ାଣ ଭରିଛି ବୋଲି ଚିତା ପ୍ରକଳ୍ପର ମୁଖ୍ୟ ଏସ୍‌ପି ଯାଦବ କହିଛନ୍ତି। ସୂଚନାଯୋଗ୍ୟ, ଗତ ବର୍ଷ ସେପ୍ଟେମ୍ବର ୧୭ରେ ନିଜ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଦେଇଥିବା ଉପହାରରେ ଆଉ ଏକ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ସେହିଦିନ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ନାମ୍ବିିଆରୁ ୮ଟି ଚିତା ଆଣି ଛାଡ଼ିଥିଲେ।

Share