ଭଙ୍ଗାଯିବ କୁଞ୍ଜୁରହାନ୍‌ ଷ୍ଟାଡିୟମ

ଜାକର୍ତ୍ତା, ୧୯ା୧୦: ଇଷ୍ଟ ଜାଭା ସ୍ଥିତ ମଲଙ୍ଗ ସହର କୁଞ୍ଜୁରହାନ୍‌ ଷ୍ଟାଡିୟମକୁ ଭାଙ୍ଗିବା ପାଇଁ ଇଣ୍ଡୋନେସିଆ ସରକାର ନିଷ୍ପତ୍ତି ନେଇଛନ୍ତି। ଅକ୍ଟୋବର ୧ରେ ଏହି ଷ୍ଟାଡିୟମରେ ଫୁଟ୍‌ବଲ ମ୍ୟାଚ ଚାଲିଥିବାବେଳେ ଦଳାଚକଟାରେ ୧୩୩ ଜଣଙ୍କ ମୃତ୍ୟୁ ଘଟିଥିଲା। ରାଷ୍ଟ୍ରପତି ଜୋକୋ ଓ୍ବିଡୋଡେରେ ମଙ୍ଗଳବାର ଫିଫା ମୁଖ୍ୟ ଜିଆନି ଇନ୍‌ଫାଣ୍ଟିନୋଙ୍କ ସହ ସାକ୍ଷାତବେଳେ ଉକ୍ତ ଷ୍ଟାଡିୟମ ଭଙ୍ଗ କରିବା ନେଇ ସୂଚନା ଦେଇଛନ୍ତି। ବିଶ୍ୱ ଫୁଟ୍‌ବଲ ଗଭର୍ନିଂ ବଡିର ମାନଦଣ୍ଡ ଅନୁଯାୟୀ, ଦେଶରେ ଏହି କ୍ରୀଡ଼ାକ୍ଷେତ୍ରରେ ଆମୂଳଚୁଳ ପରିବର୍ତ୍ତନ କରାଯିବ। କୁଞ୍ଜୁରହାନ୍‌ ଷ୍ଟାଡିୟମକୁ ଭାଙ୍ଗି ଉକ୍ତ ସ୍ଥାନରେ ଏକ ନୂତନ ଷ୍ଟାଡିୟମ ପ୍ରତିଷ୍ଠା କରାଯିବ ବୋଲି ଓ୍ବିଡୋଡୋ କହିଛନ୍ତି। ପ୍ରକାଶ ଯେ, ଉକ୍ତ ଘଟଣା ସମ୍ପର୍କିତ ତଦନ୍ତ ରିପୋର୍ଟ ଗତ ସପ୍ତାହରେ ଆସିଥିଲା। ଲୁହବୁହା ବାଷ୍ପ ପ୍ରୟୋଗ ଉପରେ ଫିଫା ନିଷେଧାଦେଶ ଜାରି କରିଥିବା ସତ୍ତ୍ୱେ ପୋଲିସ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ଷ୍ଟାଡିୟମରେ ଦଳାଚକଟା ହୋଇଥିଲା ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ଆସନ୍ତା ବର୍ଷ ଇଣ୍ଡୋନେସିଆରେ ଅଣ୍ଡର-୨୦ ଓ୍ବାଲର୍‌ଡକପ୍‌ ଆୟୋଜିତ ହେବାକୁ ଥିବାବେଳେ ଷ୍ଟାଡିୟମ ଷ୍ଟ୍ରାଟେଜିକୁ ନେଇ ରାଷ୍ଟ୍ରପତି ଓ ଫିଫା କର୍ତ୍ତୃପକ୍ଷଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି।

Share