ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ ସେଠୀଙ୍କ ଝିଅ କୁନି ଫାଇନାଲ ମ୍ୟାଚ୍‌ରେ ବିଜୟୀ ହୋଇ ଏହି ସଫଳତା ହାସଲ କରିଛନ୍ତି।

କୁନି ଦିଗପହଣ୍ଡିସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ୍‌ରେ ପ୍ରଶିକ୍ଷକ ନୀଳମାଧବ ପଣ୍ଡାଙ୍କ ତତ୍ତ୍ୱାବଧାନରେ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ନେଉଛନ୍ତି। ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଚାମ୍ପିୟନ ହୋଇ ଦିଗପହଣ୍ଡିର ନାମ ଗୌରବାନ୍ବିତ କରିଥିବାରୁ କୁନିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

ଗତ ଶୁକ୍ରବାରଠାରୁ ରାୟଗଡ଼ାରେ ଓଡ଼ିଶା ବ୍ୟାଡମିଣ୍ଟନ ସଂଘର ଆନୁକୂଲ୍ୟରେ ୟୋନେକ୍ସ ସନ୍‌ରାଇଜ ଏବଂ ରାୟଗଡ଼ା ଜିଲା ବ୍ୟାଡମିଣ୍ଟନ ସଂଘର ମିଳିତ ସହଯୋଗରେ ଏହି ରାଜ୍ୟସ୍ତରୀୟ ଚାମ୍ପିୟନସିପ ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ଜିଲାରୁ ବହୁ ସଂଖ୍ୟକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ପ୍ରତିଯୋଗିତାର ଫାଇନାଲ୍ରେ ୧୩ ବର୍ଷରୁ କମ ବାଳକ ବିଭାଗରେ ଗଞ୍ଜାମର ଶ୍ରୀୟାନ ଜେ. ପ୍ରକାଶ ଏବଂ ବାଳିକା ବିଭାଗରେ ଭୁବନେଶ୍ୱରର ସ୍ବାତୀ ପଲାଇ ବିଜୟୀ ହୋଇଥିଲେ। ସେହିପରି ୧୫ ବର୍ଷରୁ କମ ବାଳକ ବିଭାଗରେ କୋରାପୁଟର ଅଂଶ ନାରାୟଣ ଏବଂ ବାଳିକା ବିଭାଗରେ କୋରାପୁଟର ନେହାଶ୍ରୀ ପଟ୍ଟନାୟକ ଚାମ୍ପିୟନ ହୋଇଥିଲେ।

୧୭ ବର୍ଷରୁ କମ ବାଳକ ବିଭାଗରେ ସୁନ୍ଦରଗଡ଼ର ଶିବରାମ ଠାକୁର ବିଜୟୀ ହୋଇଥିବା ବେଳେ ବାଳିକା ବିଭାଗରେ ଦିଗପହଣ୍ଡି କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ କୁନି ସେଠୀ ଚାମ୍ପିୟନ ହୋଇଥିଲେ।

୍ଯଯଯାପନୀ ଉତ୍ସବରେ ବ୍ୟାଡମିଣ୍ଟନ ସଂଘର ସଭାପତି ହିମାଂଶୁ ଶେଖର ପାଣ୍ଡିଆ, ଉପସଭାପତି ସୁରେଶ ଚନ୍ଦ୍ର ପଣ୍ଡା ଏବଂ ଜେ.କେ. କାଗଜ କଳର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ମୃତିରେଖା କର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ବିଜେତା ଓ ଉପବିଜେତା ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ।

 

Dharitri – Odisha’s No.1 Odia Daily

 

Share