କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ ଧୁମଧାମରେ ୮୦ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି।

ବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୋଦ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟତମ ଅତିଥି ଭାବେ ବନପାଳ ବନିତା ପ୍ରଧାନ, ରାଜସ୍ୱ ନିରୀକ୍ଷକ ଚାନ୍ଦିନୀ ଦିଗାଲ, ଅବସରପ୍ରାପ୍ତ ଶିକ୍ଷକ ସୁଜନ ନାୟକ, ରାଇକିଆ ବିଜୟ ହାଇସ୍କୁଲ୍‌ର ଅବସରପ୍ରାପ୍ତ ଶିକ୍ଷକ ତଥା ଭିକ୍ଟୋରିଆ ସ୍କୁଲ୍‌ର ସଭାପତି ବିଶ୍ୱାମିତ୍ର ନାୟକ ପ୍ରମୁଖ ମଞ୍ଚାସୀନ ରହି ଶିଶୁ ଓ ଅଭିଭାବକମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ଶିଶୁମାନଙ୍କୁ ନେଇ ସଙ୍ଗୀତ, ଫ୍ୟାନ୍ସି ଡ୍ରେସ୍‌, ଚିତ୍ରାଙ୍କନ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ କୃତିତ୍ୱ ଅର୍ଜନ କରିଥିବା ଶିଶୁମାନଙ୍କ ସହ ବିଦ୍ୟାଳୟରେ ନିୟମିତ ଉପସ୍ଥିତ ରହୁଥିବା ଏବଂ ଡ୍ରେସ୍‌ କୋଡ୍‌ ନିୟମିତ ଭାବେ ପାଳନ କରୁଥିବା ଶିଶୁମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।

ସେହିପରି ଶିଶୁମାନେ ଦେଶାତ୍ମବୋଧକ ସଙ୍ଗୀତର ତାଳେ ନୃତ୍ୟ ପରିବେଷଣ କରିଥିଲେ। ବିଦ୍ୟାଳୟ ପରିସରରେ ଅତିଥିମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ଚାରାରୋପଣ କରାଯାଇଥିଲା।

ମଧୁସ୍ମିତା ନାୟକ, ଅଞ୍ଜଳୀ ପ୍ରଧାନ, ଜେନେବିନା ପ୍ରଧାନ, ସୁପ୍ରଭା ସେନାପତି, ଉଦୟ ରଣସିଂହ ଏବଂ ସୁନିତା ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Share