ଭୂତାଣୁ ବାଣ୍ଟିଲା କୁମ୍ଭମେଳା

ନୂଆଦିଲ୍ଲୀ, ୧୪ା୪: ଭାରତରେ କରୋନା ସଂକ୍ରମଣ ବ୍ରାଜିଲକୁ ଟପି ଦ୍ୱିତୀୟ ସ୍ଥାନକୁ ଉଠିଥିବାବେଳେ ଭୂତାଣୁ ବାଣ୍ଟିବାରେ ଲାଗିଛି ଉତ୍ତରାଖଣ୍ଡର ହରିଦ୍ୱାର କୁମ୍ଭମେଳା। ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ଗୋଟିଏ ସ୍ଥାନରେ ଏକାଠି ହେବା ଯୋଗୁ କଟକଣା ବାଟହୁଡ଼ା ହୋଇଛି। ଆଗାମୀ ଦିନରେ ଏହି କୋଭିଡ୍‌ ବୋମା ବିସ୍ଫୋରଣ ହୋଇ ଦେଶବ୍ୟାପୀ ସଂକ୍ରମଣ ସ୍ଥିତିକୁ ଆହୁରି ମାରାତ୍ମକ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଗଙ୍ଗାଘାଟରେ ସାହିସ୍ନାନ ପାଇଁ ଏକାଠି ହୋଇଥିଲେ ୨୮ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ। ସେମାନଙ୍କ ମୁହଁରେ ନା ଥିଲା ମାସ୍କ ନା ପାଳନ ହୋଇଥିଲା ସାମାଜିକଦୂରତା। ଭିଡ଼ ଏପରି ହୋଇଥିଲା ଯେ ପ୍ରଶାସନ ପ୍ରୋଟକଲ ପାଳନ କରିବାରେ ବିଫଳ ହୋଇଥିଲା। ଲୋକଙ୍କ ଥର୍ମାଲ ସ୍କ୍ରିନିଂ ମଧ୍ୟ ହୋଇପାରି ନ ଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ସୋମବାର ୧୮,୧୬୯ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୧୦୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତ ୨ ଦିନରେ କେବଳ କୁମ୍ଭମେଳାରୁ ୧୮ଶହରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇସାରିଲେଣି। ଲୋକେ କଟକଣା ପାଳନ କରୁ ନ ଥିବାବେଳେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ମଧ୍ୟ ହୋଇ ନ ଥିବା ଦେଖାଯାଇଛି। ମେଳାରେ ସାମିଲ ହେବା ପୂର୍ବରୁ ବିଭିନ୍ନ ଚେକ୍‌ ପଏଣ୍ଟରେ ଲୋକେ ଆର୍‌ଟି-ପିସିଆର୍‌ ଟେଷ୍ଟ କରି ନେଗେଟିଭ୍‌ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯିବ ବୋଲି କୁହାଯାଇଥିଲା। କିନ୍ତୁ ତାହାକୁ ମଧ୍ୟ କଡ଼ାକଡ଼ି ପାଳନ କରାଯାଉନାହିଁ। ତେବେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ଭିଡ଼ ନ ଜମାଇବାକୁ ମାସ୍କ ଯାଞ୍ଚ କରାଯାଇ ନ ଥିବା ଏବଂ ଥର୍ମାଲ ସ୍କ୍ରିନିଂ ହୋଇ ନ ଥିବା କୁମ୍ଭମେଳା ଆଇଜି ସଞ୍ଜୟ ଗୁଞ୍ଜୟାଲ କହିଛନ୍ତି।

‘ଗଙ୍ଗାଙ୍କ ଆଶୀର୍ବାଦରୁ କରୋନା ହେବନି’

ଗତବର୍ଷ କରୋନା ସଂକ୍ରମଣବେଳେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଦିଲ୍ଲୀରେ ତବଲିଗ୍‌ ଜମାତ ଆୟୋଜନରୁ କୋଭିଡ୍‌ ବ୍ୟାପିଥିବା ପ୍ରସଙ୍ଗ ଉଠିଥିବାବେଳେ ଏବେ କୁମ୍ଭମେଳାରେ ଲକ୍ଷଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କୁ ଏକତ୍ର ହେବାକୁ ଅନୁମତି ଦିଆଯିବା ନିଷ୍ପତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ବତ କହିଛନ୍ତି କୁମ୍ଭମେଳାରେ ମା’ ଗଙ୍ଗାଙ୍କ ଆଶୀର୍ବାଦରୁ କରୋନା ବ୍ୟାପିବ ନାହିଁ। କୁମ୍ଭ ସହ ମରକଜ୍‌କୁ ତୁଳନା କରାଯିବା ଉଚିତ ନୁହେଁ। ଏକ ବନ୍ଦ ଘରେ ମୁସଲମାନ ସମ୍ପ୍ରଦାୟ ଉତ୍ସବ ପାଳିଥିବାରୁ ସଂକ୍ରମଣ ବ୍ୟାପିଥିଲା। କିନ୍ତୁ କୁମ୍ଭ ନୀଳକଣ୍ଠଠାରୁ ଦେବପ୍ରୟାଗ ପର୍ଯ୍ୟନ୍ତ ପରିବ୍ୟାପ୍ତ।

 

Share