Categories: ଜାତୀୟ

ଶାହାଙ୍କୁ ନାଜି ପ୍ରଚାରକଙ୍କ ସହ ତୁଳନା କଲେ କୁମାରସ୍ବାମୀ

ବେଙ୍ଗାଲୁରୁ,୨।୧: କର୍ନାଟକ ନିର୍ବାଚନ ପାଖେଇ ଆସୁଥିବା ବେଳେ ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ଜନତା ଦଳ (ଏସ) ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ସେ ଶାହାଙ୍କୁ ଜର୍ମାନୀର ନାଜିବାଦ ପ୍ରଚାରକ ଜୋସେଫ ଗୋଏବେଲ୍ସଙ୍କ ସହ ତୁଳନା କରିଛନ୍ତି। ଭାଜପା ଏମ୍‌ପି ମଧ୍ୟ ତେଜସ୍ବୀ ସୂର୍ଯ୍ୟା ମଧ୍ୟ କୁମାରସ୍ବାମୀଙ୍କୁ ଜବାବ ଦେଇଛନ୍ତି।
କୁମାରସ୍ବାମୀ ଅମିତ ଶାହାଙ୍କୁ ନାଜି ପ୍ରଚାରକ ଜୋସେଫ ଗୋଏବେଲ୍ସଙ୍କ ନୂତନ ଅବତାର ବୋଲି ବର୍ଣ୍ଣନା କରି କହିଛନ୍ତି, ଶାହା କେନ୍ଦ୍ରରେ ବର୍ତ୍ତମାନର ସରକାର ଗତ ଆଠ ବର୍ଷ ମଧ୍ୟରେ ଦେଶକୁ ବିନାଶର ପଥରେ ନେଇଛନ୍ତି। ଭାଜପା ଏକ ମିଥ୍ୟାବାଦୀ ଦଳ। ଶାହା ଜଣେ ବହୁରୁପୀ ଏଣ୍ଡୁଅ।
ଶାହା ଗତ ଦିନ ଦୁଇ ଦିନିଆ କର୍ନାଟକ ଗସ୍ତରେ ଥିଲେ। ଏହି ସମୟରେ ସେ ଜେଡିଏସ୍‌ ଉପରେ ବର୍ଷିଥିଲେ। ଏହାର ଜବାବରେ କୁମାରସ୍ବାମୀ ଏଭଳି ମନ୍ତବ୍ୟ ଦେଇଛନ୍ତି। ଚଳିତ ବର୍ଷ କର୍ନାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ ଭାଜପା ଏବଂ ବିରୋଧୀ ଜେଡିଏସ ମଧ୍ୟରେ ରାଜନୈତିକ ବାକଯୁଦ୍ଧ ବୃଦ୍ଧି ପାଇଛି।
ଅନ୍ୟପକ୍ଷରେ କୁମାରସ୍ବାମୀଙ୍କ ମନ୍ତବ୍ୟକୁ ନେଇ ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟା କହିଛନ୍ତି, ସ୍ବରାଷ୍ଟ୍ରମନ୍ତ୍ରୀ ଶାହାଙ୍କ ପ୍ରତି ଅସାମ୍ବିଧାନିକ ଶବ୍ଦ ବ୍ୟବହାର କରି ସେ ରାଜନୈତିକ ହତାଶା ଭାବ ଦେଖାଇଛନ୍ତି। ଜେଡିଏସ ପାର୍ଟି ଏବେ ସଙ୍କଟରେ ଅଛି। ଆଗାମୀ ର୍ନିବାଚନ ପରେ ଏହା କର୍ନାଟକରୁ ଲୋପ ପାଇବ।

Share