Categories: ଖେଳ

ଚେନ୍ନାଇରେ ବି ମିଳିଲାନି ସୁଯୋଗ: ମୁଁ କ’ଣ ଏତେ ଖରାପ ବୋଲି ପ୍ରଶ୍ନ କଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୨।୫: ୨୦୧୭ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ବାମହାତୀ ସ୍ପିନର କୁଲଦୀପ ଯାଦବ। ଏହାପରେ ସେ କ୍ରିକେଟର ତିନୋଟି ଯାକ ଫର୍ମାଟରେ ଖେଳିସାରିଛନ୍ତି। ହେଲେ ପାଖାପାଖି ଏକ ବର୍ଷ ହେଲାଣି ସେ ଭଲ ସୁଯୋଗ ଅପେକ୍ଷାରେ ଅଛନ୍ତି। ଦୁଇ ବର୍ଷ ପରେ ଗତ ବର୍ଷ ଟେଷ୍ଟ କ୍ରିକେଟରେ ତାଙ୍କୁ ସୁଯୋଗ ମିଳିଥିଲା। ଇଂଲଣ୍ଡ ବିପକ୍ଷରେ କୁଲଦୀପ ଦୁଇ ଉଇକେଟ ନେଇଥିଲେ। ସ୍ପିନ ପାଇଁ ପିଚ୍‌ ଥିବା ସତ୍ତ୍ୱେ ଅହମ୍ମଦାବାଦ ଟେଷ୍ଟରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳି ନ ଥିଲା। ପୁଣେରେ ପ୍ରଥମ ଦୁଇ ଦିନିକିଆ ମ୍ୟାଚ୍‌ରେ ସେ ଉଇକେଟ ନେଇ ନ ପାରିବାରୁ ତାଙ୍କୁ ପୁଣିଥରେ ଦଳରୁ ବାହାର କରିଦିଆଯାଇଥିଲା। ଏବେ ୧୬ ମାସ ହେଲାଣି ସେ ଗୋଟିଏ ବି ଟି୨୦ ମ୍ୟାଚ୍‌ ଖେଳିନାହାନ୍ତି।

ଏକ ସାକ୍ଷାତକାରରେ ଦଳରେ ନିଜର ସ୍ଥିତିକୁ ନେଇ କୁଲଦୀପ କହିଛନ୍ତି, ଲଗାତାର ଭାବେ ଖେଳିଲେ ଆତ୍ମବିଶ୍ୱାସ ବଢ଼ିଥାଏ। ହେଲେ ଯେତେ ଦଳରୁ ବାହାରେ ରହିବ, ସେତେ ଅସୁବିଧା ହୋଇଥାଏ। ଫେବୃୟାରୀରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ସେଭଳି ଲାଗିଥିଲା। ଚାପଗ୍ରସ୍ତ ମନେ ହୋଇଥିଲା। କୋଭିଡ ଯୋଗୁ କିଛି ହୋଇପାରି ନ ଥିଲା। ଗତ ବର୍ଷ ତୁଳନାରେ ସବୁକିଛି ଅଧିକ ଜଟିଳ ହୋଇପଡ଼ିଥିବା ଭଳି ମନେ ହୋଇଥିଲା। ସମୟ କଠିନ ଥିଲା। ଏବେ ଆଉ ସେ କୁଲଦୀପ ନାହିଁ ବୋଲି ମନରେ ଚିନ୍ତା ଆସିଥିଲା। ଦିନ ଥିଲା ଖେଳାଳିଙ୍କୁ ପାଣି ଦେବା ଏବଂ ବେଞ୍ଚରେ ବସିବା ଠିକ୍‌ ଲାଗୁଥିଲା, ହେଲେ ଏବେ ସେ ଜାଗାରେ ରହିବା ଠିକ୍‌ ନୁହେଁ ବୋଲି ଲାଗୁଛି।

କେବଳ ସେତିକି ନୁହେଁ କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଗୋଟିଏ ବି ମ୍ୟାଚ୍‌ ଖେଳିପାରିନାହାନ୍ତି ସେ। ଚେନ୍ନାଇରେ ସ୍ପିନରଙ୍କୁ ଲାଭ ଦେଲା ଭଳି ପିଚ୍‌ ଥିବା ସତ୍ତ୍ୱେ ତାଙ୍କୁ ସୁଯୋଗ ମିଳି ନ ଥିବା ଚକିତ କରିଛି। ସେତେବେଳେ କ’ଣ ମୁଁ ଏତେ ଖରାପ ବୋଲି ଅନୁଭବ ହୋଇଥିବା କୁଲଦୀପ କହିଛନ୍ତି। ଦଳର ନିଷ୍ପତ୍ତି ଆଗରେ ସେ କିଛି କରିପାରି ନ ଥିବା ମଧ୍ୟ କହିଛନ୍ତି।

Share