Categories: ଖେଳ

ପ୍ରଥମ ବାମହାତୀ ବୋଲର୍‌ ଭାବେ ଏମିତି କାରନାମା କଲେ କୁଲଦୀପ

କଲମ୍ବୋ,୧୩।୯: ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ କୁଲଦୀପ ଯାଦବ ଚମତ୍କାର ବୋଲିଂ କରିଛନ୍ତି। ସେ ୯.୩ ଓଭରରେ ୪୩ ରନ ଦେଇ ୪ ଉଇକେଟ ନେଇଥିଲେ। ଭଲ ଫର୍ମରେ ଥିବା ଏହି ଚାଇନାମାନ ସ୍ପିନର ପାକିସ୍ତାନ ବିପକ୍ଷ ଶେଷ ମ୍ୟାଚରେ ୫ ଉଇକେଟ ନେଇଥିଲେ। ଶ୍ରୀଲଙ୍କା ବିପକ୍ଷରେ ୪ଟି ଉଇକେଟ ନେଇ କୁଲଦୀପ ମଧ୍ୟ ଦିନିକିଆରେ ୧୫୦ ଉଇକେଟ ନେଇଛନ୍ତି। ସେ ୮୮ଟି ମ୍ୟାଚରେ ଏହା କରିଥିଲେ। ସେ ଦିନିକିଆରେ ୧୫୦ ଉଇକେଟ ନେବାରେ ଦ୍ରୁତତମ ବାମହାତୀ ବୋଲର ହୋଇପାରିଛନ୍ତି। ଏହାପୂର୍ବରୁ ଏହି ରେକର୍ଡ ବାଂଲାଦେଶର ଅବଦୁର ରଜାକଙ୍କ ନାମରେ ଥିଲା। ରଜାକ ୧୦୮ ଦିନିକିଆରେ ଏହା କରିଥିଲେ।
ସାମଗ୍ରିକ ସ୍ପିନରଙ୍କ ମଧ୍ୟରେ କୁଲଦୀପ ଚତୁର୍ଥ ସ୍ଥାନରେ ଅଛନ୍ତି। ଦିନିକିଆରେ ୧୫୦ ଉଇକେଟ ପୂରଣ କରିବାରେ ସେ ଚତୁର୍ଥ ଦ୍ରୁତତମ ସ୍ପିନର। ଏହି ତାଲିକାର ଶୀର୍ଷରେ ପାକିସ୍ତାନର ସାକଲେନ ମୁସ୍ତାକ ଅଛନ୍ତି। ୭୮ଟି ମ୍ୟାଚରେ ମୁସ୍ତାକ ଏହା କରିଥିଲେ। ଆଫଗାନିସ୍ତାନର ରସିଦ ଖାନ ୮୦ଟି ମ୍ୟାଚ ସହ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଶ୍ରୀଲଙ୍କାର ଅଜନ୍ତା ମେଣ୍ଡିସ ୮୪ଟି ମ୍ୟାଚ ସହ ତୃତୀୟ ସ୍ଥାନରେ ଅଛନ୍ତି। ଦିନିକିଆରେ ୧୫୦ ଉଇକେଟ ପୂରଣ କରିବାରେ ଭାରତ ପାଇଁ କୁଲଦୀପ ଦ୍ୱିତୀୟ ଦ୍ରୁତତମ ବୋଲର ଅଟନ୍ତି। ଏହି ତାଲିକାର ଶୀର୍ଷରେ ମହମ୍ମଦ ଶାମି ରହିଛନ୍ତି। ସେ ୮୦ଟି ମ୍ୟାଚରେ ଏହି ପଦ ହାସଲ କରିଥିଲେ।

Share