Categories: ଖେଳ

ଜନ୍ମଦିନରେ ବଡ଼ ରେକର୍ଡ ହାସଲ କଲେ କୁଲଦୀପ

ନୂଆଦିଲ୍ଲୀ,୧୫।୧୨:ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଟିମ ଇଣ୍ଡିଆ ଶେଷ ଟି-୨୦ ମ୍ୟାଚରେ ଏକ ଚମତ୍କାର ବିଜୟ ହାସଲ କରି ସିରିଜକୁ ୧-୧ରେ ଡ୍ର କରିଥିଲା। ଏହି ମ୍ୟାଚ୍‌ର ହିରୋ ସୁର୍ଯ୍ୟକୁମାର ଯାଦବ ଥିଲେ। ସେ ଜବରଦସ୍ତ ଶତକ ମାରିଥିଲେ। ତେବେ ବୋଲିଂରେ ମଧ୍ୟ କୁଲଦୀପ ଯାଦବ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ନିଜ ଜନ୍ମଦିନରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ।
ପୁରୁଷ ଟି-୨୦ କ୍ରିକେଟ ଇତିହାସରେ ଜନ୍ମଦିନରେ ସର୍ବଶ୍ରେଷ୍ଠ ବୋଲିଂ କରିଥିବା ବୋଲର ହୋଇଛନ୍ତି କୁଲଦୀପ ଯାଦବ। ଏହି ମ୍ୟାଚ୍‌ରେ ଭାରତର ଏହି ବାମହାତୀ ସ୍ପିନ ବୋଲର ମାତ୍ର ୨.୫ ଓଭର ବୋଲିଂ କରି ମୋଟ ୧୭ ରନ ଦେଇ ଆୟୋଜକ ଦଳର ୫ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନକୁ ପଠାଇଥିଲେ।
କୁଲଦୀପ ଯାଦବଙ୍କ ପରେ ଶ୍ରୀଲଙ୍କାର ୱାନିନ୍ଦୁ ହାସରାଙ୍ଗାଙ୍କ ନାମ ଏହି ତାଲିକାରେ ଆସିଛି, ଯିଏ କି ୨୦୨୧ରେ ଜନ୍ମଦିନରେ କଲମ୍ବୋ ପଡ଼ିଆରେ ଭାରତ ବିପକ୍ଷ ଟି-୨୦ ମ୍ୟାଚରେ ମାତ୍ର ୯ ରନ ଦେଇ ୪ ଉଇକେଟ ନେଇଥିଲେ।
ଦକ୍ଷିଣ ଆଫ୍ରିକାର ପୂର୍ବତନ ସ୍ପିନ ବୋଲର ଇମ୍ରାନ ତାହିରଙ୍କ ନାମ ଏହି ତାଲିକାରେ ତିନି ନମ୍ବରରେ ଅଛନ୍ତି। ସେ ନେଦରଲାଣ୍ଡ ବିପକ୍ଷ ଟି-୨୦ ମ୍ୟାଚରେ ୨୦୧୪ ରେ ଇମ୍ରାନ ତାହିର ତାଙ୍କ ଜନ୍ମଦିନରେ ୨୧ ରନ ପାଇଁ ୪ ଉଇକେଟ ନେଇଥିଲେ।

Share