କୁଳଭୂଷଣଙ୍କୁ ତୃତୀୟ କନ୍‌ସୁଲାର ଆକ୍ସେସ୍‌ ମିଳିବ

ଇସ୍‌ଲାମାବାଦ,୧୮ା୭(ପି.ଟି.): ମୃତ୍ୟୁଦଣ୍ଡାଦେଶ ପାଇ ପାକିସ୍ତାନ ଜେଲ୍‌ରେ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ପ୍ରଦାନ କରାଯାଇଥିବା ଦ୍ୱିତୀୟ କନ୍‌ସୁଲାର ଆକ୍ସେସ୍‌ (ଦୂତାବାସ ମାଧ୍ୟମରେ ଆଇନଗତ ସହାୟତା)ର କୌଣସି ଅର୍ଥ କିମ୍ବା ବିଶ୍ୱସନୀୟତା ନାହିଁ ବୋଲି ନୂଆଦିଲ୍ଲୀ କହିଛି। ଭାରତର ଏହି ଅଭିଯୋଗ ପରେ ଇସ୍‌ଲାମାବାଦ କୁଳଭୂଷଣଙ୍କୁ ତୃତୀୟ କନ୍‌ସୁଲାର ଆକ୍ସେସ୍‌ ଯୋଗାଇଦେବାକୁ ଚାହେଁ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶି ଶୁକ୍ରବାର କହିଛନ୍ତି।
ଗୁପ୍ତଚର ବୃତ୍ତି ଓ ଆତଙ୍କବାଦ ସହ ସମ୍ପୃକ୍ତ ଅଭିଯୋଗରେ ପାକିସ୍ତାନୀ ସାମରିକ ଅଦାଲତ ୨୦୧୭ ଏପ୍ରିଲରେ କୁଳଭୂଷଣଙ୍କୁ ଦୋଷୀସାବ୍ୟସ୍ତ କରି ମୃତ୍ୟୁଦଣ୍ଡାଦେଶ ଦେଇଥିଲା। ଗୁରୁବାର ପାକିସ୍ତାନ ତାଙ୍କୁ ଦ୍ୱିତୀୟ କନ୍‌ସୁଲାର ଆକ୍ସେସ୍‌ ଦେଇଥିଲେ ହେଁ ତାହାର କୌଣସି ମୂଲ୍ୟ ନ ଥିଲା। କୁଳଭୂଷଣଙ୍କୁ ଚାପରେ ରଖାଯାଇଥିବା ସ୍ପଷ୍ଟ ହୋଇଥିଲା ବୋଲି ତାଙ୍କୁ ସାକ୍ଷାତ କରିବାକୁ ଯାଇଥିବା ଅଧିକାରୀ କହିଥିଲେ। କନ୍‌ସୁଲାର ଅଧିକାରୀଙ୍କୁ ଅବାଧ ତଥା ନିଃସର୍ତ୍ତ ଭେଟିବା ସୁଯୋଗ ଦିଆଯାଇ ନ ଥିଲା ବୋଲି ନୂଆଦିଲ୍ଲୀରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଥିଲେ। ଅନ୍ୟପକ୍ଷରେ କୁରେଶି କହିଛନ୍ତି, ନୂଆଦିଲ୍ଲୀ ଚାହିଁବା ଅନୁଯାୟୀ କୁଳଭୂଷଣଙ୍କୁ ଭାରତୀୟ ଅଧିକାରୀଙ୍କ ସହ ମିଶିବାର ସୁଯୋଗ ଦିଆଯାଇଥିଲା। ସାକ୍ଷାତ ବେଳେ ସୁରକ୍ଷା ଅଧିକାରୀଙ୍କ ଉପସ୍ଥିତିକୁ ସେମାନେ ବିରୋଧ କରୁଛନ୍ତି। ସୁରକ୍ଷା ଅଧିକାରୀଙ୍କୁ ହଟାଇଦେବାକୁ ପାକ୍‌ ପ୍ରସ୍ତୁତ। ଭାରତ ଯଦି ତୃତୀୟ କନ୍‌ସୁଲାର ଆକ୍ସେସ୍‌ ଚାହେଁ ତେବେ ତାହା ଯୋଗାଇଦେବାକୁ ଇସ୍‌ଲାମାବାଦ ଆଗ୍ରହୀ ବୋଲି କୁରେଶି କହିଛନ୍ତି। ତେବେ ଏହି ନିଷ୍ପତ୍ତି ନୂଆଦିଲ୍ଲୀକୁ ଜଣାଯିବା ସମ୍ପର୍କରେ ଭାରତ କିମ୍ବା ପାକିସ୍ତାନ ପକ୍ଷରୁ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରାଯାଇନାହିଁ।

Share