ଦବିଲା କୁଆଁରିଆ ସେତୁ

ଖଣ୍ଡପଡ଼ା,୪ା୮(ଅଜୟ କୁମାର ମହାରଣା): ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ଖଳିସାହିରୁ କୋସକା, ଆଡକଟା ଦେଇ ଦଶପଲ୍ଲା ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତାରେ ଥିବା କୁଆଁରିଆ ସେତୁଟି ଗୁରୁବାର ଦବି ଯାଇ ବିପଦଶଙ୍କୁଳ ଅବସ୍ଥାରେ ରହିଛି। ଉକ୍ତ ରାସ୍ତା ଦେଇ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ବିପଦର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସେତୁର ଉଭୟ ପାର୍ଶ୍ୱକୁ ବନ୍ଦ କରାଯାଇଛି ବୋଲି ଖଣ୍ଡପଡ଼ା ତହସିଲଦାର ଲିପ୍ସା ରାୟ ଓ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହ ଯନ୍ତ୍ରୀ ଇଂ. ରାଧାଶ୍ୟାମ କାଲୋ ସୂଚନା ଦେଇଛନ୍ତି।
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଗମନା ଗମନର ସୁବିଧା ପାଇଁ ବହୁ ବର୍ଷ ପୂର୍ବରୁ ଖଣ୍ଡପଡା ବ୍ଳକ ଅଧୀନ ଖଳିସାହିରୁ ଆଡକଟାକୁ ସଂଯୋଗ କରୁଥିବା ରାସ୍ତାର କୋସକା ଗ୍ରାମ ନିକଟରେ କୁଆଁରିଆ ପୋଲ ନିର୍ମାଣ କରାଯାଇଥିଲା। ଧିରେ ଧିରେ ସେହି ପୋଲ ବିପଦ ଶଙ୍କୁଳ ହୋଇପଡିଥିଲା। ଉକ୍ତ ରାସ୍ତା ଦେଇ ଦଶପଲ୍ଲା ଓ ଗଣିଆ ଉଭୟ ଅଞ୍ଚଳକୁ ଦୈନିକ ଅନେକ ଭାରିଯାନ, ଯାତ୍ରୀବାହୀ ବସ ଚଳାଚଳ କରିଥାଆନ୍ତି। ହେଲେ କୁଆଁରିଆ ପୋଲର ଦୁରାବସ୍ଥାକୁ ନେଇ ଗାଡ଼ି ଚାଳକମାନେ ପ୍ରତି ମୂହୂର୍ତ୍ତରେ ପ୍ରମାଦ ଗଣୁଥିଲେ। ସେତୁ ଉପରି ଭାଗର ବିଭିନ୍ନ ସ୍ଥାନରେ ଖାଲ ସୃଷ୍ଟି ହୋଇ ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି କରୁଥିଲା। ପୂର୍ତ୍ତ ବିଭାଗ ଅଧୀନରେ ଥିବା ସଂପୃକ୍ତ ଲୋଲେବୁଲ କୁଆଁରିଆ ସେତୁଟି ବନ୍ୟା ସମୟରେ ବୁଡି ଏହାରି ଉପରେ ୫ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହୋଇଥାଏ। ଫଳରେ ଯାତାୟତରେ ସମସ୍ୟା ସୃଷ୍ଟି କରିଥାଏ। ସେତୁର ନିମ୍ନ ଭାଗ ଦୁର୍ବଳହୋଇ ପଡିଥିବା ବେଳେ ନଦୀ ମଧ୍ୟରେ ଥିବା ପିଲରଗୁଡିକ ମଧ୍ୟ ଦୁର୍ବଳ ହୋଇପଡିଥିବା ଅଭିଯୋଗ ହୋଇଆସୁଥିଲା। ଦୀର୍ଘ ୫୦ବର୍ଷରୁ ଊର୍ଦ୍ଧ୍ୱ ଏହି ପୁରାତନ ଲୋଲେବଲ ସେତୁର ନବୀକରଣ ଦିଗରେ ଅଞ୍ଚଳବାସୀ ଦାବି କରିଥିଲେ। ଉକ୍ତ ସେତୁର ଉଚ୍ଚତା ବୃଦ୍ଧି ନିମନ୍ତେ ଖଣ୍ଡପଡା ସମେତ କୁମ୍ଭାରପଡା, ବଳଭଦ୍ର ପ୍ରସାଦ, କୋସକା, କିଆଝର, ସିଂଘାପଡା, ଗଡିଆସାହି. ଆଡକଟା ଆଦି ଆଖପାଖ ଅଞ୍ଚଳର ବାସିନ୍ଦା ଦୀର୍ଘ ବର୍ଷ ଧରି ଦାବି କରି ଆସୁଥିଲେ ହେଁ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଆଦୌ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି। ଏନେଇ ‘ଖାଲଖମାରେ ପୂର୍ଣ୍ଣ କୁଆଁରିଆ ସେତୁ ନବୀକରଣ ଲାଗି ଅଞ୍ଚଳବାସୀଙ୍କ ଦାବି‘ ଶୀର୍ଷକ ଏକ ରିପୋର୍ଟ ଗତ ଜୁଲାଇ ୨୫ ତାରିଖ ଧରିତ୍ରୀରେ ପ୍ରକାଶ ପାଇଥିଲା। ଗତ ୨ ଦିନ ଧରି ଲଗାଣ ବର୍ଷା ଫଳରେ କୁଆଁରିଆ ନଦୀରେ ବନ୍ୟା ପାଣି ପ୍ରବାହିତ ହେବା ସହ ନଦୀର ପ୍ରଖର ସ୍ରୋତରେ ସେତୁର ମଧ୍ୟ ଭାଗରେ ଥିବା ୨ ପିଲର ଭାଙ୍ଗି ଯିବା ଫଳରେ ସେତୁଟି ଦବି ଯାଇଛି। ଖବର ପାଇ ଖଣ୍ଡପଡା ତହସିଲଦାର ଲିପ୍ସା ରାୟ, ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଧେଶ୍ୟାମ କାଲୋ ଓ ପୋଲିସ ପ୍ରଶାସନିକ ଅଧିକାରୀ ମାନେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଖଣ୍ଡପଡ଼ା ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. କାଲୋ କହିଛନ୍ତି, ଏକ ନୂତନ ହାଇ ଲେବୁଲ ସେତୁ ନିର୍ମାଣ ନିମନ୍ତେ ଆବଶ୍ୟକ କାଗଜପତ୍ର କାମ ସମ୍ପନ୍ନ ହୋଇ ଟେଣ୍ଡର ପ୍ରକ୍ରୀୟା କାର୍ଯ୍ୟ ଚାଲୁ ରହିଛି। ଖୁବ୍‌ ଶୀଘ୍ର ଏଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।