ମୋ ବସ୍‌ ସେବା ପାଇଁ କ୍ରୁଟ୍‌କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର, ୩୦।୧୦(ବ୍ୟୁରୋ): ସଫଳତାର ଆଉଏକ ପାହାଚ ଚଢିଛି କ୍ରୁଟ୍‌ (କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ)। କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଅର୍ବାନ ମୋବିଲିଟି ଇନିସିଏଟିଭ୍‌ ସମ୍ମିଳନୀରେ ‘ମୋ ବସ୍‌’ ସେବା ପାଇଁ କ୍ରୁଟ୍‌କୁ ପୁରସ୍କୃତ କରାଯାଇଛି। ଗତ ଏକବର୍ଷରେ ସହରାଞ୍ଚଳ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରି କ୍ରୁଟ୍‌ ଉତ୍କର୍ଷତା ହାସଲ କରି ପାରିଥିବାରୁ ଏହି ଜାତୀୟ ପୁରସ୍କାର ହାସଲ କରିଛି। କରୋନା ମହାମାରୀ ସମୟରେ ମଧ୍ୟ ଜନସାଧାରଣଙ୍କୁ ଯଥାରୀତି ମୋ ବସ୍‌ ସେବା ଯୋଗାଇ ଦିଆଯାଇଥିଲା। ପୁରସ୍କାର ଗ୍ରହଣ କରି କ୍ରୁଟ୍‌ର ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର କହିଲେ, କରୋନା ସମୟରେ ମଧ୍ୟ ମୋ ବସ୍‌ ଦୈନିକ ୧ଲକ୍ଷରୁ ଅଧିକ ଯାତ୍ରୀଙ୍କ ବିଶ୍ୱାସଭାଜନ ହୋଇ ପାରିଛି। ରାଜ୍ୟର ସହରାଞ୍ଚଳ ପରିବହନ କ୍ଷେତ୍ରରେ କ୍ରୁଟ୍‌ ଅନନ୍ୟ ଭୂମିକା ଗ୍ରହଣ କରିଛି। ସମୟାନୁଯାୟୀ ଯାତ୍ରୀଙ୍କ ଆବଶ୍ୟକତା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ସେବାକୁ ଆହୁରି ତ୍ୱରାନ୍ବିତ କରାଯାଉଛି। ସେହିପରି କ୍ରୁଟ୍‌ ଓଡ଼ିଶାରେ ଇଲେକ୍ଟ୍ରିକ୍‌ ଯାନ ନୀତିକୁ ଆପଣାଇବା ସହ ଆଗାମୀ କିଛିଦିନ ମଧ୍ୟରେ ଇ-ବସ୍‌, ଇ-ରିକ୍ସା ଚଳାଚଳ କରିବାକୁ ଯୋଜନା କରିଛି ବୋଲି ସେ କହିଛନ୍ତି।