କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା ମାମଲା: ୨ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ସମେତ ୪ ଅଟକ

ପୁରୀ ଅଫିସ,୨୧।୩: ଶ୍ରୀମନ୍ଦିର ସେବାୟତ ତଥା ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ (କାଳିଆ)ଙ୍କୁ ଗୁଳିକରି ହତ୍ୟା ମାମଲାରେ ରବିବାର ପୁରୀ ପୋଲିସ ୪ଜଣଙ୍କୁ ଅଟକ ରଖିଛି। ଏମାନଙ୍କ ମଧ୍ୟରେ ୨ଜଣ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓ ୨ଜଣ ସହଯୋଗୀ ରହିଛନ୍ତି। ଅନ୍ୟପକ୍ଷରେ ରବିବାର ତଳୁଚ୍ଛ ଭଗବାନ ମହାପାତ୍ର ଓରଫ ଗୁନ ସିଂହାରୀଙ୍କ ଭାଇ କାଳିଆ ସିଂହାରୀ ଓ ପୁତୁରା ଦୋଳଗୋବିନ୍ଦଙ୍କୁ ପୋଲିସ ଅଟକ ରଖି ଘନ ଘନ ଜେରା କରିଛି। ଉଭୟଙ୍କଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ସୋମବାର ପୋଲିସ ଏକ ଖବରଦାତା ସମ୍ମିଳନୀ ଡାକି ଏହି ହତ୍ୟାକାଣ୍ଡ ବିଷୟରେ ଖୁଲାସା କରିବ ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ, ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ କାଳିଆ ସିଂହାରୀ ଓ ତାଙ୍କ ପୁତ୍ର ଦୋଳଗୋବିନ୍ଦଙ୍କୁ ପୋଲିସ ଠାବ କରି ଥାନାରେ ଅଟକ ରଖିଛି। ସେହିପରି ଏହି ମାମଲାରେ ବାବା ଓ କାଳୁ ନାମକ ଅନ୍ୟ ଦୁଇବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରାଯାଉଛି। ପୁରୀ ଜିଲାରୁ ଏହି ଅଭିଯୁକ୍ତମାନେ ଧରାପଡ଼ିଛନ୍ତି। ଏମାନେ ଗୁଳିକାଣ୍ଡ ଘଟାଇ ନ ଥିଲେ ମଧ୍ୟ ତତ୍ତ୍ୱାବଧାରକ ଓ ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ। ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାକୁ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସର ସନ୍ଦେହ ଏକପ୍ରକାର ଦୃଢୀଭୂତ ହୋଇଗଲାଣି। ତେବେ ଅନ୍ୟ ଅଭିଯୁକ୍ତ ହରି ପଣ୍ଡା, ପ୍ରଫୁଲ୍ଲ ମହାପାତ୍ର ଏବଂ କୁନୁମୁନିଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳୁନାହିଁ। ଏମାନେ ରାଜ୍ୟ ବାହାରକୁ ଚାଲିଯାଇଥିବା ପୋଲିସ ଅନୁମାନ କରୁଛି। ରବିବାର ପୋଲିସ କାଳିଆ ଓ ତାଙ୍କ ପୁତ୍ର ଦୋଳଗୋବିନ୍ଦଙ୍କୁ ଦୀର୍ଘ ସମୟ ଧରି ଜେରା କରିଛି। କିଭଳି ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ ହେଲା, କିଏ ପ୍ରସ୍ତୁତ କଲା ଏବଂ କେଉଁମାନେ ହତ୍ୟା କଲେ ପ୍ରଭୃତି ବିଭିନ୍ନ ପ୍ରଶ୍ନ ପଚରାଯାଇଥିଲା। କାଳିଆଙ୍କଠାରୁ ଅନ୍ୟ ଅଭିଯୁକ୍ତଙ୍କ ସମ୍ପର୍କିତ ତଥ୍ୟ ହାସଲ କରାଯାଇଛି। ଗୁନ ହତ୍ୟାକାଣ୍ଡ ମାମଲାରେ କୃଷ୍ଣଚନ୍ଦ୍ର ନିର୍ଦ୍ଦୋଷରେ ଖଲାସ ହେବା ପରଠାରୁ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ସେହି ଅନୁଯାୟୀ କୃଷ୍ଣଚନ୍ଦ୍ରଙ୍କୁ ବାରବାଟୀ ଜାଗା ପାଖକୁ ଡକାଯାଇ ଗୁଳି କରାଯାଇଥିଲା। ଅଭିଯୁକ୍ତମାନଙ୍କଠାରୁ ତଥ୍ୟ ଓକାଳିବା ସହ ପ୍ରମାଣ ଯୋଗାଡ଼ରେ ପୋଲିସ ଲାଗିପଡ଼ିଛି। ଅନ୍ୟପକ୍ଷରେ ଗୁନ ହତ୍ୟା ମାମଲାରେ ଯେଉଁଭଳି ଭାବେ ତଥ୍ୟ-ପ୍ରମାଣ ଅଭାବରୁ ଅଭିଯୁକ୍ତମାନେ ଖସିଗଲେ, ଉକ୍ତ ହତ୍ୟାକାଣ୍ଡରେ ସେଭଳି ହେବନାହିଁ ତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ସମ୍ପୂର୍ଣ୍ଣ ଘଟଣାର ଚାର୍ଜଶିଟ୍‌ ପ୍ରମାଣ ଆଧାରରେ ଦାଖଲ କରାଯିବ ବୋଲି ପୋଲିସ କହିଛି।