Categories: ଖେଳ

ବାୟୋ-ବବଲ୍‌ ଉପରେ ଉଠିଲା ପ୍ରଶ୍ନ: ‘ଯଦି ନିୟମ କଡ଼ାକଡ଼ି, କିଭଳି ସଂକ୍ରମିତ ହେଲେ କ୍ରୁନାଲ’

କଲମ୍ବୋ,୨୭।୭: ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ମଙ୍ଗଳବାର ଖେଳାଯିବାର ଥିଲା। ହେଲେ ମ୍ୟାଚ୍‌ର କିଛି ଘଣ୍ଟା ପୂର୍ବରୁ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା କରୋନା ସଂକ୍ରମିତ ହେବାର ଖବର ଆସିଥିଲା। ଏହାକୁ ନେଇ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି। ତେବେ କ୍ରୁନାଲ ସୋମବାର ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ତାଙ୍କୁ ଏବେ ଅଲଗା ରଖାଯାଇଛି। ଏଥିସହ ସବୁ ଖେଳାଳିଙ୍କ ଆର୍‌ଟିପିସିଆର୍‌ ରିପୋର୍ଟକୁ ଅପେକ୍ଷା କରାଯାଇଛି। ତେବେ ଗତ ମାସେ ଧରି କଠୋର ବାୟୋ ବବଲରେ ରହୁଥିବା କ୍ରୁନାଲ କିପରି କରୋନାର ଶିକାର ହୋଇଗଲେ ତାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

କ୍ରିକେଟ ପ୍ରଶଂସକ ବାୟୋ ବବଲ ଉପରେ ପ୍ରଶ୍ନ ଉଠାଉଛନ୍ତି। ଏପରିକି ବିସିସିଆଇକୁ ମଧ୍ୟ କଟାକ୍ଷ କରୁଛନ୍ତି। ଜଣେ ବ୍ୟବହାରକାରୀ କହିଛନ୍ତିଳ ସେ କିଭଳି କରୋନା ସଂକ୍ରମିତ ହୋଇପାରିବେ। ସେ ନିଶ୍ଚିତ ଭାବେ ବାୟୋ ବବଲ୍‌ ନିୟମ ଭାଙ୍ଗିଛନ୍ତି। ଆଉ ଜଣେ ଲେଖିଛନ୍ତି, ବିସିସିଆଇ କହୁଛି ଖେଳାଳିଙ୍କ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି। ତଥାପି କ୍ରୁନାଲ ବର୍ତ୍ତମାନ କରୋନାର ଶିକାର ହେଲେ କିପରି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାଛଡ଼ା କିଛି ପ୍ରଶଂସକ କ୍ରୁନାଲଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

Share