Categories: ଖେଳ

ବାପା, ଆଶା କରୁଛି ଆପଣ ମୋତେ ନେଇ ଗର୍ବ ଅନୁଭବ କରିଥିବେ: କ୍ରୁଣାଲ

ପୁଣେ,୨୪।୩: ନିଜର ଦିନିକିଆ ଡେବ୍ୟୁ ମ୍ୟାଚ୍‌ରେ ଚମକିଛନ୍ତି କ୍ରୁଣାଲ ପାଣ୍ଡ୍ୟା। ଇଂଲଣ୍ଡ ବିପକ୍ଷରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ସେ ଅପରାଜିତ ୫୮ ରନ୍‌ର ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଏଥିଯୋଗୁ ଭାରତ ବଡ଼ ସ୍କୋର କରିପାରିଥିଲା। ସାଥୀ ଖେଳାଳିଙ୍କଠାରୁ ଆରମ୍ଭ କରି ପ୍ରଶଂସକମାନେ କ୍ରୁଣାଳଙ୍କ ଏଭଳି ବ୍ୟାଟିଂର ପ୍ରଶଂସା କରୁଛନ୍ତି। ଏସବୁ ମଧ୍ୟରେ ମ୍ୟାଚ୍‌ ଆରମ୍ଭରୁ ଶେଷ ହେବା ପର୍ଯ୍ୟନ୍ତ ଏକାଧିକ ଥର ତାଙ୍କୁ ଭାବବିହ୍ବଳ ହୋଇଥିବା ଦେଖାଯାଇଛି। ଏପରିକି ମ୍ୟାଚ୍‌ ଶେଷ ହେବା ପରେ ସେ ନିଜ ବାପାଙ୍କୁ ମନେ ପକାଇ ଏକ ପୋଷ୍ଟ ଲେଖିଛନ୍ତି। ଏହା ବେଶ୍‌ ଭାଇରାଲ ହେଉଛି।
ବାପା, ପ୍ରତି ବଲ୍‌ ପରେ ଆପଣ ମୋ ମନରେ ଏବଂ ମୋ ହୃଦୟରେ ଥିଲେ। ଯେତେବେଳେ ମୁଁ ଆପଣଙ୍କୁ ନିଜ ଭିତରେ ଅନୁଭବ କଲି ଲୁହ ବୋହି ଆସିଥିଲା। ମୋ ଶକ୍ତି ହୋଇଥିବାରୁ ଧନ୍ୟବାଦ। ମୋ ଜୀବନର ସବୁଠାରୁ ବଡ଼ ସମର୍ଥକ ହେବା ପାଇଁ ଧନ୍ୟବାଦ। ଆଶା କରୁଛି ଆପଣ ଖେଳ ଦେଖି ଗର୍ବିତ ଅନୁଭବ କରିଥିବେ। ଡେବ୍ୟୁ ପାଳି ଆପଣଙ୍କ ପାଇଁ ବାପା। ଆମେ ଯାହା ବି କରୁଛୁ ସେ ସବୁ ଆପଣଙ୍କ ପାଇଁ ବାପା ବୋଲି କ୍ରୁଣାଲ କହିଛନ୍ତି।

ପ୍ରକାଶ ଯେ, ୨୦୨ରେ ଭାରତ ୫ ଉଇକେଟ ହରାଇବା ପରେ କ୍ରୁଣାଲ ଏବଂ କେଏଲ୍‌ ରାହୁଲ ସ୍ଥିତିକୁ ସମ୍ଭାଳିଥିଲେ। ଉଭୟ ବିଦେଶୀ ବୋଲରଙ୍କ ସାମ୍ନା କରିବା ସହ ଭାରତର ସ୍କୋରକୁ ୩୧୭ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଉଭୟ କ୍ରିକେଟର ୬ଷ୍ଠ ଉଇକେଟ ପାଇଁ ମାତ୍ର ୬୧ ବଲ୍‌ରେ ୧୧୨ ରନ୍‌ର ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେଥିରୁ କ୍ରୁଣାଲ ୩୧ ବଲ୍‌ରେ ୭ ଚୌକା ଏବଂ ୨ ଛକା ସହାୟତାରେ ଅପରାଜିତ ୫୮ରନ୍‌ କରିଥିଲେ।

Share