Categories: ଜାତୀୟ

ୟୁକ୍ରେନ୍‌ ଫେରନ୍ତା ପିଲାଙ୍କ କ୍ରୋକ୍‌ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୭।୪: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ଭାରତ ଦୃଢ଼ ବିରୋଧ କରୁଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ବୁଧବାର ପାର୍ଲାମେଣ୍ଟରେ କହିଛନ୍ତି। ନୂଆଦିଲ୍ଲୀ ଶାନ୍ତି ପକ୍ଷ ନେବା ସହ ତୁରନ୍ତ ହିଂସା ବନ୍ଦ ହେବା ଚାହେଁ। ରକ୍ତପାତ ଏବଂ ନିରୀହ ଲୋକଙ୍କ ଜୀବନ ନେବା ଦ୍ୱାରା ସମସ୍ୟାର ସମାଧାନ ହେବ ନାହିଁ। ବୁଚା ସହରରେ ନିରୀହ ଲୋକଙ୍କୁ ହତ୍ୟା ଘଟଣାକୁ ଭାରତ ଦୃଢ଼ ନିନ୍ଦା କରୁଛି ବୋଲି ଜୟଶଙ୍କର କହିଥିଲେ।
ରୁଷିଆ ଆକ୍ରମଣ ଯୋଗୁ ୟୁକ୍ରେନ୍‌ରୁ ଫେରାଇ ଅଣାଯାଇଥିବା ଛାତ୍ରୀଛାତ୍ରଙ୍କ ପାଠପଢ଼ା ଜାରି ରଖିବା ଲାଗି କେନ୍ଦ୍ର ସରକାର ୟୁକ୍ରେନ୍‌ର ପଡୋଶୀ ହଙ୍ଗେରି, ରୋମାନିଆ, କାଜାକିସ୍ତାନ ଓ ପୋଲାଣ୍ଡ ସହ କଥାବାର୍ତ୍ତା ଜାରି ରଖିଛି। ଲୋକ ସଭାରେ ୟୁକ୍ରେନ୍‌ ସ୍ଥିତି ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଜୟଶଙ୍କର କହିଥିଲେ, ଡାକ୍ତରୀ ଛାତ୍ରୀଛାତ୍ରଙ୍କ ପରବର୍ତ୍ତୀ ଶିକ୍ଷାବର୍ଷ ଲାଗି ବାଧ୍ୟତାମୂଳକ କ୍ରୋକ୍‌ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଷଷ୍ଠ ବର୍ଷ ସେମାନଙ୍କୁ କ୍ରୋକ୍‌-୨ ପରୀକ୍ଷା ବିନା ଡିଗ୍ରୀ ପ୍ରଦାନ କରାଯିବ ବୋଲି ୟୁକ୍ରେନ୍‌ ସରକାର ନିଷ୍ପତ୍ତି ନେଇଥିବା ଜୟଶଙ୍କର ଗୃହକୁ କହିଛନ୍ତି। ୟୁକ୍ରେନ୍‌ ଫେରନ୍ତା ଭାରତୀୟ ଡାକ୍ତରୀ ଛାତ୍ରୀଛାତ୍ରଙ୍କୁ ପାଠପଢ଼ା ସମ୍ପୂର୍ଣ୍ଣ କରାଇବା ଲାଗି ହଙ୍ଗେରି ଏହାର ବିଶ୍ୱବିଦ୍ୟାଳୟରେ ସୁଯୋଗ ଦେବ ବୋଲି କହିଛି। ସେହିପରି ରୋମାନିଆ, ପୋଲାଣ୍ଡ, କାଜାକିସ୍ତାନ ମଧ୍ୟ ଅନୁରୂପ ପ୍ରତିଶ୍ରୁତି ଦେଇଛନ୍ତି। ଏହିସବୁ ଦେଶରେ ସମାନ ଶିକ୍ଷାବ୍ୟବସ୍ଥା ରହିଥିବା ବହିର୍ବ୍ୟାପାର ମନ୍ତ୍ରୀ କହିଛନ୍ତି।

 

Share