କୃଷ୍ଣପ୍ରସାଦ,୨୪ା୪(କୈଳାସ ଚନ୍ଦ୍ର ପଟ୍ଟନାୟକ):ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ପାରିକୁଦଗଡ଼ର ୨ ବର୍ଷ ୪ ମାସର କ୍ରିୟାଂଶ ପାତ୍ର ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଛନ୍ତି। ଆଇବିଆର୍ ଆଚିଭର ପ୍ରତିଯୋଗିତାରେ କ୍ରିୟାଂଶ ୧୮ଟି ଫଳ, ୨୦ ପଶୁ, ୧୨ ପକ୍ଷୀ, ୧୨ ଶରୀର ଅଙ୍ଗ, ୧୫ ଯାନବାହନ, ୧୧ ରଙ୍ଗ, ୧୦ ଆକୃତି, ୧୨ଟି ପାରିବାରିକ ସମ୍ପର୍କ କହି ରେକର୍ଡ କରିଛନ୍ତି। ବାପା ସୌମ୍ୟଜିତ ପାତ୍ର ଏବଂ ପୂଜା ନାୟକଙ୍କ ପୁଅ କ୍ରିୟାଂଶଙ୍କ ଏହି ସଫଳତା ମହାପ୍ରଭୁ ଜଗନ୍ନାଥଙ୍କ କରୁଣାରୁ ହୋଇଥିବା କହିଛନ୍ତି। ଏନେଇ ମା’ ପୂଜା କୁହନ୍ତି, ପ୍ରତିଦିନ କ୍ରିୟାଂଶଙ୍କୁ ୧୫ରୁ ୨୦ ମିନିଟ୍ ବିଭିନ୍ନ ପ୍ରକାର ଫୁଲଫଳ, ପଶୁପକ୍ଷୀ ସହ ଅନ୍ୟାନ୍ୟ ବିଷୟରେ କହିଥାନ୍ତି। ପିଲାଟିଦିନରୁ କ୍ରିୟାଂଶ ମନେରଖିବା ଶକ୍ତି ରହିଥିବା ଜାଣିବାକୁ ପାଇଥିଲେ ବୋଲି ସେ କହିଛନ୍ତି। କ୍ରିୟାଂଶଙ୍କ ସଫଳତା ଖବର ପ୍ରଚାରିତ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।