Categories: ଖେଳ

୩୬୧ ମିନିଟ୍‌,୨୨୧ ବଲ୍‌…କିଛି ଏଭଳି ଖେଳି ପାକିସ୍ତାନ ବୋଲର୍‌ଙ୍କ ଝାଳ ବୁହାଇଦେଲେ ଏହି ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୪।୮: କ୍ରିକେଟ ଦୁନିଆରେ ଏପରି ଅନେକ ଖେଳାଳି ଅଛନ୍ତି, ଯେଉଁମାନେ ଯୋଗ୍ୟତା ଥାଇ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିନାହାନ୍ତି। ବର୍ତ୍ତମାନର ଓ୍ବେଷ୍ଟଇଣ୍ଡିଜ୍‌ ଟେଷ୍ଟ ଅଧିନାୟକ କ୍ରେଗ ବ୍ରାଥଓ୍ବାଇଟ୍‌ ସେମାନଙ୍କ ମଧ୍ୟରୁ ଜଣେ। କିଙ୍ଗଷ୍ଟୋନର ସାବିନା ପାର୍କରେ ପାକିସ୍ତାନ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଏହି ଖେଳାଳି ପୁଣି ଥରେ ନିଜର କମାଲ ଦେଖାଇଛନ୍ତି। ଦୁର୍ଭାଗ୍ୟବଶତଃ ସେ ତାଙ୍କର ୧୦ମ ଟେଷ୍ଟ ଶତକ ମାରିବାରେ ବିଫଳ ହୋଇଥିେଲେ ହେଁ ତାଙ୍କ ଇନିଂସ ପାଇଁ ଦଳକୁ ମଜଭୂତ ସ୍ଥିତିରେ ପହଞ୍ଚାଇଥିଲା।

ପ୍ରଥମ ଦିନ ପ୍ରଥମ ଇନିଂସରେ ପାକିସ୍ତାନ ଟିମ୍‌ ୨୧୭ରେ ଅଲ୍‌ଆଉଟ୍‌ ହୋଇଥିଲା। ପରେ ପ୍ରଥମ ଦିନ ଖେଳ ଶେଷ ହେବା ବେଳକୁ ସେମାନେ ଓ୍ବେଷ୍ଟଇଣ୍ଡିଜ୍‌କୁ ୨ ରନ୍‌ ଦେଇ ୨ ଉଇକେଟ ନେଇଥିଲେ। ପ୍ରଥମେ ପିଚ ସେମାନଙ୍କ ବୋଲରଙ୍କ ପାଇଁ ଉପଯୁକ୍ତ ଏବଂ ଦ୍ୱିତୀୟ ଦିନରେ ସେମାନେ ସହଜରେ ଓ୍ବେଷ୍ଟଇଣ୍ଡିଜକୁ ଅଡ଼ୁଆରେ ପକାଇବେ ବୋଲି ପାକିସ୍ତାନ ଭାବିଥିଲା। ହେଲେ ତାହା ହୋଇ ନ ଥିଲା। କାରଣ ଦ୍ୱିତୀୟ ଦିନ ଶେଷରେ ଓ୍ବେଷ୍ଟଇଣ୍ଡିଜ ୨୫୧/୮ ସ୍କୋର କରିନେଇଥିଲା। ଫଳରେ ଦଳ ଦୁଇ ଉଇକେଟ ବାକି ଥାଇ ୩୪ ରନ୍‌ରେ ଅଗ୍ରଣୀ ମଧ୍ୟ ହୋଇଥିଲା।

ହାରୁଥିବା ବାଜି ଜିତିବା ପଛରେ ରହିଥିଲେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ। ସେ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଇନିଂସ ଖେଳି ନିଜ ଦଳକୁ ଅସୁବିଧାରୁ ବାହାର କରିଥିଲେ। କ୍ରେଗ୍‌ ୩୬୧ ମିନିଟ୍‌ ଯାଏ ବ୍ୟାଟିଂ କରିଥିଲେ। ଏହି ସମୟରେ ସେ ୨୨୧ ବଲ୍‌ରେ ୯୭ ରନ୍‌ ସଂଗ୍ରହ କରିଥିଲେ। ସେଥିରେ ୧୨ଟି ଚୌକା ଥିଲା। ଏଭଳି ଉଲ୍ଲେଖନୀୟ ବ୍ୟାଟିଂ ସତ୍ତ୍ୱେ ସେ ଶତକ କରିବାରୁ ବଞ୍ଚିତ ହୋଇଥିଲେ। ହେଲେ ତାଙ୍କ ଇନିଂସ ଦୀର୍ଘଦିନ ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବ।

Share