Categories: ଜାତୀୟ

ନବନିର୍ବାଚିତ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଲେ କୋବିନ୍ଦ-ଶାହା

ନୂଆଦିଲ୍ଲୀ,୨୧।୭: ଓଡ଼ିଶାର ମୟୁରଭଞ୍ଜ ଜିଲା ରାଇରଙ୍ଗପୁର ଝିଅ ଦ୍ରୌପଦୀ ମୁର୍ମୁ ଗୁରୁବାର ଭାରତର ନୂଆ ରାଷ୍ଟ୍ରପତି ହୋଇଛନ୍ତି। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦୁଇ-ତୃତୀୟାଂଶ ଭୋଟ ହାସଲ କରି ପ୍ରଥମ ଆଦିବାସୀ ମହିଳା ରୂପେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିଛନ୍ତି। ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ମୁର୍ମୁଙ୍କୁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଇତିମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ କୋବିନ୍ଦ ଟୁଇଟ କରି ମୁର୍ମୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଟୁଇଟ କରିବା ସହ ଦ୍ରୌପଦୀଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସେ ଟୁଇଟ କରି କହିଛନ୍ତି, ‘ଅତି ସାଧାରଣ ଆଦିବାସୀ ପରିବାରର ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଭାରତର ନୂତନ ରାଷ୍ଟ୍ରପତି ନିର୍ବାଚିତ ହେବା ଏହା ସମଗ୍ର ଦେଶ ପାଇଁ ଏକ ଗର୍ବର ମୂହୁର୍ତ୍ତ। ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି। ଏହି ବିଜୟ ଆଦିବାସୀ ସମାଜର ସଶକ୍ତିକରଣ ଦିଗରେ ଏକ ମାଇଲଖୁଣ୍ଟ ବୋଲି ଶାହା କହିଛନ୍ତି। ଅନ୍ୟପଟେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ନବନିର୍ବାଚିତ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share