ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଜିଲା ପରିଷଦ ଅଧ୍ୟକ୍ଷା ଡଲି ମାଝି ମୁଖ୍ୟ ଅତିଥି, ଓଡ଼ିଶା କ୍ରିକେଟ ସଂଘ ସଦସ୍ୟ ସରୋଜ କୁମାର ସାହୁ, ଖରିଆରରୋଡ୍ ଏନ୍ଏସି ଅଧ୍ୟକ୍ଷା ସୋନିଆ ଜୈନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଆସନ୍ତା ଜନଗଣନାରେ ଅଞ୍ଚଳବାସୀ ନିଜ ମାତୃଭାଷା କୋସଲୀ ଲେଖିବାକୁ ସଭାପତି ମହାରଥା ଆହ୍ବାନ ଦେଇଛନ୍ତି। ପ୍ରଥମ ରଜନୀରେ ଟିଟିଲାଗଡ଼ର ଢାପ ପଏଁରି କଳା ପରିଷଦ, ସସ୍ମିତା ମହାନ୍ତି ଓ ଗ୍ରୁପ୍ଙ୍କ ଓଡ଼ିଶୀ ନୃତ୍ୟ, ମୟୂରଭଞ୍ଜର ଦୟାସାଗର ଛଉ ନାଟ୍ୟ ପରିଷଦର କଳାକାର ନିଜ କଳା ପ୍ରଦର୍ଶନ କରିଥିଲେ। ସେହିପରି ନୂଆପଡ଼ା ମହାମାୟା ପବ୍ଲିକ ସ୍କୁଲ, ନଟରାଜ ଡ୍ୟାନ୍ସ ଅନୁଷ୍ଠାନ, ଜ୍ଞାନଜ୍ୟୋତି ବିଦ୍ୟାଳୟ, ଖରିଆରରୋଡ୍ ଗୋପବନ୍ଧୁ ବିଦ୍ୟାପୀଠ, ଧରମବନ୍ଧା ସରକାରୀ ଏସ୍ଏସ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉଦ୍ୟାନବନ୍ଧ ପବ୍ଲିକ ସ୍କୁଲର ଛାତ୍ରୀଛାତ୍ର ନୃତ୍ୟ ପରିବେଷଣ କରିଥିଲେ।
କଣ୍ଠଶିଳ୍ପୀ ରୁକୁ ସୁନା ଓ ଗ୍ରୁପଙ୍କ ଷ୍ଟାର ନାଇଟ କାର୍ଯ୍ୟକ୍ରମରେ ଦର୍ଶକ ଝୁମି ଉଠିଥିଲେ। କୋଶଳୀ ସାହିତ୍ୟ ସାଂସ୍କୃତିକ ଅନୁଷ୍ଠାନ ମୁଖ୍ୟ ଉପଦେଷ୍ଟା ଅଶ୍ୱିନୀ କୁମାର ଭୋଇ ମଞ୍ଚ ପରିଚାଳନା ଓ ସାଧାରଣ ସମ୍ପାଦକ ରବି ମଙ୍ଗରାଜ ଧନ୍ୟବାଦ ଅର୍ପଣ କରିଥିଲେ।


