ବରଗଡ଼,୧୫।୫(ପ୍ରେମାନନ୍ଦ ଖମାରୀ):ଆଗାମୀ ଦିନରେ କୋରାପୁଟ-ପୁରୀ ଭାୟା ନରାଜ, ସମ୍ବଲପୁର, ବରଗଡ଼, ଏକ୍ସପ୍ରେସ ଟ୍ରେନ୍ ଚଳାଇବା ପାଇଁ ପୂର୍ବତଟ ରେଳପଥ ନିଷ୍ପତ୍ତି ନେଇଛି। ଏଥିପାଇଁ ରେଳ ମନ୍ତ୍ରଣାଳୟ ସ୍ବୀକୃତି ପ୍ରଦାନ କରି ସାରିଛି ବୋଲି ବରଗଡ଼ ଜିଲା ରେଳ ଉପଭୋକ୍ତା ସଂଘ ସଭାପତି ପ୍ରଦୀପ ଦେବତା ସୂଚନା ଦେଇଛନ୍ତି। ତେବେ କେବେଠାରୁ ଏହି ଟ୍ରେନ୍ ଚାଲିବ, ଏହା ପରେ ଘୋଷଣା ହେବ ବୋଲି ସେ କହିଛନ୍ତି। ଏହି ଟ୍ରେନ୍ ଚଳାଚଳ କଲେ ଶ୍ରୀକ୍ଷେତ୍ରକୁ ଶାବର ଶ୍ରୀକ୍ଷେତ୍ର ସହ ଯୋଡ଼ିବ। ଏହି ଟ୍ରେନ୍ ଦ୍ୱାରା ଉପକୂଳ, କେନ୍ଦ୍ର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାକୁ ରେଳ ଦ୍ୱାରା ଯୋଡ଼ାଯାଇ ପାରିବ। ଏହା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଏକ ପୁରୁଣା ଦାବି ଥିଲା। ପୂର୍ବରୁ ହୀରାଖଣ୍ଡ ଏକ୍ସପ୍ରେସ୍ ଜଗଦଲପୁର-କୋରାପୁଟ-ରାୟଗଡ଼ା- ବିଜୟନଗରମ-ଭୁବନେଶ୍ୱର ଆନ୍ଧ୍ରପ୍ରଦେଶ ଦେଇ ଚାଲୁଛି। ତେଣୁ ଦକ୍ଷିଣ ଓଡ଼ିଶାର ଲୋକେ ସମ୍ବଲପୁର ଦେଇ ପୁରୀକୁ ଏକ ଟ୍ରେନ୍ ଚଳାଇବା ପାଇଁ ଦାବି ଜଣାଇ ଆସୁଥିଲେ। ତେବେ ଏହି ଟ୍ରେନ୍ ଚଳାଚଳ ନିଷ୍ପତ୍ତି ହେବା ପରେ ନିଶ୍ଚିତରୂପେ ଏହା ଲୋକମାନଙ୍କ ମନରେ ଖୁସି ଆଣିଦେଇଛି। କିନ୍ତୁ ଏହା ଉଭୟ ଦିଗରୁ ତିନିଦିନ ଲେଖାଏ ଚାଲିବା ପରିବର୍ତ୍ତେ ଦୈନିକ ଚାଲିବା ନିଷ୍ପତ୍ତି ନିଆଗଲେ ଆହୁରି ଭଲ ହୋଇଥାଆନ୍ତା ବୋଲି ଦେବତା ପ୍ରକାଶ କରିଛନ୍ତି। ତଥାପି ଏହି ନିଷ୍ପତ୍ତିକୁ ବରଗଡ଼ ଜିଲା ରେଳ ଉପଭୋକ୍ତା ସଂଘ ସ୍ବାଗତ କରୁଛି ବୋଲି ସେ କହିଛନ୍ତି। ଉଭୟ ଦିଗରୁ ଆସୁଥିବା ଟ୍ରେନ୍ର ବରଗଡ଼ ରୋଡ଼ ଷ୍ଟେଶନ ସମୟ ପ୍ରାୟ ଦିନ ୨ଟା ୧୦ ମିନିଟ ହେବାର ସମ୍ଭାବନା ରହିଛି। ଜୁନ ମାସରେ ରାୟଗଡ଼ା ଡିଭିଜନ କାର୍ଯ୍ୟକାରୀ ହୋଇ ପିଟ୍ଲାଇନ ନିର୍ମାଣ ହେଲେ ଆହୁରି ନୂଆ ଟ୍ରେନ୍ ଚାଲିବାର ସମ୍ଭାବନା ରହିଛି। କିନ୍ତୁ ବରଗଡ଼ ଓ ବଲାଙ୍ଗିରବାସୀଙ୍କ ବହୁତ ଦିନର ଦାବି ଭୁବନେଶ୍ୱରକୁ ଏକ ସକାଳୁଆ ଇଣ୍ଟରସିଟି ଚଳାଚଳ ଏପର୍ଯ୍ୟନ୍ତ ପୂରଣ ହୋଇ ନାହିଁ। ସେଥିପାଇଁ ଆସନ୍ତା ମାସରେ ବରଗଡ଼ ଓ ବଲାଙ୍ଗୀର ଷ୍ଟେଶନରେ ରେଳରୋକୋ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇ ଏବେ ତାର ପ୍ରସ୍ତୁତି ଚାଲିଛି ବୋଲି ବରଗଡ଼ ଜିଲା ରେଳ ଉପଭୋକ୍ତା ସଂଘର ସଭାପତି ଦେବତା ସୂଚନା ଦେଇଛନ୍ତି।