କୋରାପୁଟ,୩୦ା୮(ଅମିତାଭ ବେହେରା): ସ୍ବାୟତ୍ତ ଶାସନ ଦିବସରେ ଉଲେଖନୀୟ କାର୍ଯ୍ୟ ପାଇଁ କୋରାପୁଟ ମ୍ୟୁନିସିପାଲିଟିକୁ ରାଜ୍ୟର ଶ୍ରେଷ୍ଠ ପୌରାଞ୍ଚଳ ଭାବେ ପୁରସ୍କୃତ କରାଯିବ ବୋଲି କୋରାପୁଟ ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ପ୍ରକାଶ କରିଛନ୍ତି। ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ କୋରାପୁଟ ମ୍ୟୁନିପାଲିଟିକୁ ଶ୍ରେଷ୍ଠ ପୌରାଞ୍ଚଳ ଭାବେ ପୁରସ୍କୃତ କରାଯିବ। ପୁରସ୍କାର ବାବଦକୁ ସରକାରଙ୍କ ପକ୍ଷରୁ ୩ କୋଟି ଟଙ୍କା ପ୍ରଦାନ କରାଯିବ।
ସୂଚନା ଥାଉକି ଯେ, ଚଳିତ ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ୩କୋଟି ୬୪ ଲକ୍ଷ ରାଜସ୍ବ ଆଦାୟ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ବର୍ତମାନ ସୁଦ୍ଧା କୋରାପୁଟ ମ୍ୟୁନିସିପାଲିଟି ୧ କୋଟି ୬୭ ଲକ୍ଷ ୭୯ ହଜାର ଟଙ୍କା ଅର୍ଥାତ ୪୬.୦୯ ପ୍ରତିଶତ ରାଜସ୍ବ ଆଦାୟ କରିଥିବା ମ୍ୟୁନିସିପାଲିଟି ପକ୍ଷରୁ କୁହାଯାଇଛି। ଏହି ପୁରସ୍କାର କୋରାପୁଟ ପୌରାଞ୍ଚଳ ସମେତ ରାଜ୍ୟର ଧାମନଗର ଓ ରେମୁଣା ପୌରାଞ୍ଚଳ ଆଦି ୩ଟି ପୌରାଞ୍ଚଳ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି। ଏହି ପୁରସ୍କାର ଆଣିବା ପାଇଁ ଶନିବାର କୋରାପୁଟ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଜ୍ଞାନଜିତ୍ ତ୍ରିପାଠୀ ଏବଂ କୋରାପୁଟ ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ଭୁବନେଶ୍ୱର ଯାତ୍ରା କରିଛନ୍ତି।


