କୋରାପୁଟ, ମାଲକାନଗିରି ଜିଲା ପାଇଁ ପାନୀୟ ଜଳ ପ୍ରକଳ୍ପ

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ)- ରାଜ୍ୟ ସରକାର ଜଳଜୀବନ ମିଶନ ଯୋଜନାରେ କୋରାପୁଟ ଓ ମାଲକାନଗିରି ଜିଲାର ୮ ବ୍ଲକକୁ ପାନୀୟ ଜଳ ଯୋଗାଇ ଦେବେ। କୋରାପୁଟ ଜିଲାର ୬ ବ୍ଲକ ଅଧୀନରେ ଥିବା ୫୪ ପଞ୍ଚାୟତର ୫୬୮ ଗ୍ରାମର ୨,୪୫,୭୪୮ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିପାଇଁ ଡକାଯାଇଥିବା ୪୬୨.୪୮ କୋଟି ଟଙ୍କାର ଟେଣ୍ଡର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ କାର୍ଯ୍ୟ ୨ ବର୍ଷ ମଧ୍ୟରେ ଶେଷ ହେବ। ସେହିପରି ମାଲକାନଗିରି ଜିଲାର ୨ ବ୍ଲକ ଅଧୀନରେ ଥିବା ୧୯ ପଞ୍ଚାୟତର ୧୩୬ ଗ୍ରାମର ୧,୦୮,୯୬୯ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିପାଇଁ ଆହ୍ବାନ କରାଯାଇଥିବା ୧୯୨.୮୮ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଆସନ୍ତା ୨୪ ମାସ ମଧ୍ୟରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବ। ଜିଲା ଜଜ୍‌ କ୍ୟାଡର ନିଯୁକ୍ତି ପ୍ରକ୍ରିୟାକୁ ସହଜ କରିବା ପାଇଁ ଓଏସଜେଏସ ଏବଂ ଓଜେଏସ ନିୟମାବଳୀରେ ସଂଶୋଧନ କରାଯାଇଛି। ଆଇନ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି।