କୋରାପୁଟ ବସ୍‌ଷ୍ଟାଣ୍ଡ ପାଲଟିଛି ଅସାମାଜିକ ଅସାମାଜିକଙ୍କ ଆଡ୍ଡାସ୍ଥଳୀ

କୋରାପୁଟ,୧୩।୫(ଅମିତାଭ ବେହେରା)-କୋରାପୁଟ ସହରର ମୁଖ୍ୟ ବସ୍‌ଷ୍ଟାଣ୍ଡ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବାରୁ ଯାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ବସ୍‌ଷ୍ଟାଣ୍ଡରେ ଅସାମାଜିକ ତତ୍ତ୍ୱ ଓ ପକେଟ୍‌ମାରଙ୍କ ପ୍ରାର୍ଦୁଭାବ ବଢ଼ିଥିବା ଅଭିଯୋଗ ହେଉଛି। ଦୈନିକ ଜିଲା ଓ ବାହାରୁ ହଜାର ହଜାର ଯାତ୍ରୀ ଆସୁଥିବା ବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି। ବସ୍‌ଷ୍ଟାଣ୍ଡ ପରିସରରେ ନିଶାସକ୍ତଙ୍କ ଉପଦ୍ରବ ବଢ଼ିଥିବାରୁ ମହିଳା ଓ ଅନ୍ୟ ଯାତ୍ରୀମାନେ ଭୟଭୀତ ହେଉଥିବା କହିଛନ୍ତି। ବସ୍‌ଷ୍ଟାଣ୍ଡରେ ଅନେକ ସମୟରେ ପକେଟମାର ସକ୍ରିୟ ରହୁଥିବାରୁ ଯାତ୍ରୀଙ୍କ ଟଙ୍କା, ମୋବାଇଲ ଓ ଆବଶ୍ୟକୀୟ ସାମଗ୍ରୀ ଚୋରି ହେଉଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏ ନେଇ ଅଭିଯୋଗ ହୋଇଥିଲେ ସୁଦ୍ଧା ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା କୁହାଯାଇଛି। ବସ୍‌ଷ୍ଟାଣ୍ଡରେ ପୋଲିସ ପାଟ୍ରୋଲିଂ, ସିସିଟିଭି ବ୍ୟବସ୍ଥାକୁ ସକ୍ରିୟ କରିବା ସହ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଯାତ୍ରୀମାନେ ଦାବି କରିଛନ୍ତି। ଏ ନେଇ କୋରାପୁଟ ପୌରନିର୍ବାହୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀଙ୍କୁ ପଚାରିବାରୁ ସେ ଟାଉନ ଥାନାଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବେ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Share