କୋରାପୁଟ,୧୮।୧୧(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଜିଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଘନଘନ ବୈଠକ ହେଉଥିବା ବେଳେ ବାତ୍ୟା ମୁକାବିଲା ପାଇଁ ଏନ୍ଡିଆର୍ଏଫ୍ ଟିମ ମଧ୍ୟ ପହଞ୍ଚିଛି। ବାତ୍ୟାରେ ଯେପରି ଜୀବନ ହାନି ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ ଜିଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଜିଲାର କୋଟପାଡ଼, ବୋରିଗୁମ୍ମା, ଜୟପୁର ଓ କୁନ୍ଦ୍ରା ଅଞ୍ଚଳର ୮୪ଟି ବୁଡ଼ି ଅଞ୍ଚଳ ଚିହ୍ନଟ ହୋଇଛି। ଏହି ଅଞ୍ଚଳର ପ୍ରାୟ ୨୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲାର ୬୮୭ଜଣ ଗର୍ଭବତୀଙ୍କ ମଧ୍ୟରୁ ୧୩୦ ଜଣଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି। ଅନ୍ୟମାନଙ୍କୁ ମଧ୍ୟ ତୁରନ୍ତ ସ୍ଥାନାନ୍ତର କରିବାକୁ ଜିଲାପାଳ କହିଛନ୍ତି।
ବାତ୍ୟା ଆଶ୍ରୟସ୍ଥଳରେ ଔଷଧ, ଓଆର୍ଏସ୍, ଜେନେରେଟର ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଚୁଡ଼ା, ଗୁଡ଼, ଚିନି, ମହମବତୀ ଏବଂ ଦିଆସିଲି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରଖିବା ସହ ଅମଳ ଧାନ ସୁରକ୍ଷିତ ରଖିବାକୁ ଚାଷୀଙ୍କୁ ସଚେତନ କରାଯାଉଛି।
ସେହିପରି ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ରାସ୍ତା ସଫା କରିବା ପାଇଁ ୧୬ଟି ଜେସିବି, ଗୋଟିଏ ଏନ୍ଡିଆର୍ଏଫ୍ ଟିମ, ୩ଟି ଓଡ୍ରାଫ ଟିମ୍ ଏବଂ ପ୍ରତି ବ୍ଲକର ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଛି। ପ୍ରତି ବ୍ଲକରେ ତଦାରଖ ପାଇଁ ଜିଲାସ୍ତରୀୟ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ନିୟୋଜିତ କରାଯାଇଛି।