Posted inଖେଳ

କୋଲକାତା- ମୁମ୍ବାଇ ମୁକାବିଲା: ବ୍ୟାଟ୍ସମ୍ୟାନଙ୍କ ଲଢ଼େଇ

ଆବୁଧାବି,୨୩।୯(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପଞ୍ଚମ ମୁକାବିଲାରେ ବୁଧବାର ଦିନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ ଓ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ମୁହଁାମୁହିଁ ହେବେ। ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁମ୍ବାଇ ପ୍ରତିପକ୍ଷ ଚେନ୍ନାଇ ସୁପର କିଙ୍ଗ୍ସଠାରୁ ପରାସ୍ତ ହୋଇଥିଲା। ଅନ୍ୟପଟେ କୋଲକାତା ଟୁର୍ନାମେଣ୍ଟରେ ତା’ର ପ୍ରଥମ ମ୍ୟାଚ୍‌ ଖେଳିବ। ତେଣୁ କୋଲକାତା ପ୍ରଥମ ମ୍ୟାଚ୍‌ ଜିତି ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି।
୨୦୧୩ ପରଠାରୁ ମୁମ୍ବାଇ କେବେବି ତା’ର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇପାରିନାହିଁ। ଏଥର ମଧ୍ୟ ତାହା ହୋଇଛି। ଅନ୍ତିମ ୧୦ ଓଭରରେ ନିୟନ୍ତ୍ରଣକୁ ନେଇ ଚେନ୍ନାଇ ମ୍ୟାଚ୍‌ ହାତେଇ ନେଇଥିଲା। କୋଲକାତା ବିପକ୍ଷରେ ମୁମ୍ବାଇ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି। ଉଭୟ ଦଳରେ ବିଗ୍‌ ହିଟରମାନେ ରହିଥିବାରୁ ଆବୁଧାବିର ଏହି ଟ୍ରାକ୍‌ରେ ଜବରଦସ୍ତ ଲଢ଼େଇ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।
ଶୁବମନ ଗିଲ୍‌ ତାଙ୍କ ତୃତୀୟ ଆଇପିଏଲ୍‌ ଖେଳିବାକୁ ଯାଉଛନ୍ତି। ସେ ଜଣେ ଉଚ୍ଚକୋଟୀର ପ୍ରତିଭାସମ୍ପନ୍ନ ବ୍ୟାଟ୍ସମ୍ୟାନ। ସେ ଏକ୍ସଟ୍ରା କଭର ଉପର ଦେଇ ଛକା ମାରିବାର କ୍ଷମତା ରଖନ୍ତି। ମୁମ୍ବାଇ ପାଇଁ ସେ ଉପଯୋଗୀ ସାବ୍ୟସ୍ତ ହେବେ। ସୀମିତ ଓଭର କ୍ରିକେଟ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ରୋହିତ ଶର୍ମା ଜଣେ ଅସାଧାରଣ ବ୍ୟାଟ୍ସମ୍ୟାନ ରୂପେ ନିଜକୁ ପ୍ରମାଣିତ କରିଛନ୍ତି। ଇତିମଧ୍ୟରେ ବେଶ୍‌ ଅଭିଜ୍ଞତା ହାସଲ କରିଥିବାର ରୋହିତ କୋଲକାତା ପାଇଁ ସମସ୍ୟା ସୃଷ୍ଟି କରିବେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପ୍ରତିପକ୍ଷ ଦଳର ତାରକା ବୋଲର ସୁନୀଲ ନାରିନ, କୁଲଦୀପ ଯାଦବ ଓ ପ୍ୟାଟ୍‌ କୁମିନ୍ସଙ୍କ ଭଳି ବୋଲରଙ୍କୁ ମହଙ୍ଗା ସାବ୍ୟସ୍ତ କରିବାର କ୍ଷମତା ରଖୁଛନ୍ତି। ଦ୍ୱିତୀୟ ଦ୍ରୁତ ବୋଲର ଭାବେ କମଳେଶ ନାଗରକୋଟଇ କିମ୍ବା ପ୍ରସିଦ୍ଧ କ୍ରିଷ୍ଣା ସ୍ଥାନ ପାଇପାରନ୍ତି। ହାର୍ଦ୍ଦିକଙ୍କ ଭଳି ଆନ୍ଦ୍ରେ ରସେଲ ମଧ୍ୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ। କୋଲକାତା ତରଫରୁ ସେ ଉପଯୋଗୀ ସାବ୍ୟସ୍ତ ହେବେ। ଟି୨୦ରେ ରେସେଲ ସବୁଠାରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସାବ୍ୟସ୍ତ ହୋଇଛନ୍ତି। ଗତ ସଂସ୍କରଣରେ ରସେଲ ୫୨ଟି ଛକା ମାରିଥିଲେ। ନିମ୍ନକ୍ରମରେ ବ୍ୟାଟିଂ କରିବାକୁ ପଠାଇଥିବାରୁ ସେ ଟିମ୍‌ ମ୍ୟାନେଜମେଣ୍ଟକୁ ଖୋଲାଖୋଲି ସମାଲୋଚନା କରିଥିଲେ। ତେବେ ଏଥର ସେ ୩ ନମ୍ବରରେ ବ୍ୟାଟିଂ କରିବାକୁ ସୁଯୋଗ ପାଇବେ। ଏହା ହେଲେ ସେ ପ୍ରତିପକ୍ଷ ବୋଲିଂକୁ ମାମୁଲି ସାବ୍ୟସ୍ତ କରି ବିସ୍ଫୋରକ ବ୍ୟାଟିଂ କରିବେ ବୋଲି ଆଶା କରାଯାଉଛି। ରସେଲଙ୍କୁ ଅତିକମ୍‌ରେ ୬୦ଟି ବଲ ବ୍ୟାଟିଂକରିବାକୁ ସୁଯୋଗ ଦିଆଯିବ। ଯଦି ତାଙ୍କୁ ଭାଗ୍ୟଦେବୀ ସହାୟ ହୁଅନ୍ତି ତା’ହେଲେ ସେ ଦ୍ୱିଶତକ ହାସଲ କରିପାରିବେ ବୋଲି କୋଲକାତା ମେଣ୍ଟର ଡେଭିଡ୍‌ ହସି କହିଛନ୍ତି। ପୁଣି ଇଂଲଣ୍ଡ ସୀମିତ ଓଭର ଅଧିନାୟକ ଇଆନ ମୋର୍ଗାନ କୋଲକାତା ଦଳରେ ସାମିଲ ଅଛନ୍ତି। ସେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ହ୍ବାଇଟ୍‌ ବଲ୍‌ ଅଧିନାୟକ ବିବେଚିତ ହେଉଛନ୍ତି। ସେ ଅଧିନାୟକ ଦୀନେଶ କାର୍ତ୍ତିକଙ୍କୁ ଗୁରୁତ୍ୱପୂର୍ଣ୍ଣ ସମୟରେ ବିଭିନ୍ନ ପରାମର୍ଶ ଦେଇପାରିବେ। କୋଲକାତା ଦଳରେ ନାରିନ, ଟମ୍‌ ବାଣ୍ଟୋନ, ରସେଲ ଓ କୁମିନ୍ସଙ୍କ ଭଳି ବିଦେଶୀ ଖେଳାଳି ରହିଛନ୍ତି। ଏପରିସ୍ଥଳେ ମୋର୍ଗାନ କିପରି ଦଳରେ ସ୍ଥାନ ପାଇବେ ସେ ନେଇ ଟିମ୍‌ ମ୍ୟାନେଜମେଣ୍ଟ ସମସ୍ୟାରେ ପଡିବ।
ଅପରପକ୍ଷରେ ମୁମ୍ବାଇ ଦଳରେ ଟ୍ରେଣ୍ଟ ବୋଲ୍ଟଙ୍କ ବଦଳରେ ନାଥନ କଲ୍ଟର- ନାଇଲଙ୍କୁ ସାମିଲ କରାଗଲେ ଦଳ ଅଧିକ ସନ୍ତୁଳିତ ହେବ। ଶନିବାର ଭଲ ଆରମ୍ଭ କରିଥିଲେ ମଧ୍ୟ ମୁମ୍ବାଇ ୧୬୨/୯ରେ ସୀମିତ ରହିଥିଲା। ଭଲ ଷ୍ଟ୍ରାଇକ ରୋଟେଟ କରିପାରୁ ନ ଥିବା ସୌରଭ ତିଓ୍ବାରୀଙ୍କ ବଦଳରେ ଏବେ ବିସ୍ଫୋରକ ଇଶାନ କିଷନଙ୍କୁ ଦଳ ଖେଳାଇପାରେ। ଡେଥ୍‌ ଅଫ୍‌ କିଙ୍ଗ୍‌ କୁହାଯାଉଥିବା ଯଶପ୍ରୀତ ବୁମ୍‌ରା ଚେନ୍ନାଇ ବିପକ୍ଷରେ ୪୩ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେ ନିଜର ପ୍ରଦର୍ଶନରେ ସୁଧାର ଆଣିବାକୁ ପ୍ରୟାସ କରିବେ। ଦ୍ରୁତ ବୋଲରଙ୍କୁ ବାଦ୍‌ ଦେଲେ କ୍ରୁନାଲ ପାଣ୍ଡ୍ୟା ଓ ରାହୁଲ ଚହରଙ୍କ ଭଳି ସ୍ପିନର ମୁମ୍ବାଇ ପାଇଁ ଉପଯୋଗୀ ସାବ୍ୟସ୍ତ ହେବେ। ହାର୍ଦ୍ଦିକ ଓ କିରନ ପୋଲାର୍ଡ ମଧ୍ୟ ଭଲ କାମଚଳା ବୋଲିଂ କରିପାରିବେ। ଉଭୟ ହାର୍ଦ୍ଦିକ ଓ ପୋଲାର୍ଡ ଚେନ୍ନାଇ ବିପକ୍ଷରେ ବୋଲିଂ କରି ନ ଥିଲେ। ଏଥର କିନ୍ତୁ ଦାୟିତ୍ୱ ନେବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri