କୋଲକାତା, ୧।୫: ସେଣ୍ଟ୍ରାଲ କୋଲକାତାର ମେଚୁଆପଟ୍ଟୀ ଅଞ୍ଚଳରେ ଥିବା ଋତୁରାଜ ହୋଟେଲରେ ମଙ୍ଗଳବାର ରାତିରେ ନିଅଁା ଲାଗିଯିବାରୁ ୪ ଓଡ଼ିଆଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ଘଟିଛି।୧୩ ଜଣ ଆହତ ହୋଇଛନ୍ତି। ମୃତକ ୪ ଓଡ଼ିଆ ହେଲେ ଜଗତ୍ସିଂହପୁର ଜିଲାର ମନୋଜ ପାତ୍ର, ଦୁଷ୍ମନ୍ତ କୁମାର ନାୟକ, ଦୁଷ୍ମନ୍ତ କୁମାର ସ୍ବାଇଁ ଏବଂ କଟକ ସିଡିଏ ଅଞ୍ଚଳର ବ୍ୟବସାୟୀ ରାଜେଶ ସାନ୍ତୁକା। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଅଗ୍ନିକାଣ୍ଡ ଘଟିବା ସମୟରେ ହୋଟେଲର ୪୨ଟି ରୁମ୍ରେ ୮୮ ଜଣ ଥିଲେ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ଦମକଳ ବାହିନୀର ୧୦ଟି ଗାଡ଼ି ପକ୍ଷରୁ ୧୦ ଘଣ୍ଟାର ଅପରେଶନ ପରେ ବୁଧବାର ସକାଳେ ନିଅଁାକୁ ଆୟତ୍ତ କରାଯାଇଥିଲା। କୋଲକାତା ପୋଲିସ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରି ତଦନ୍ତ ଚଳାଇଥିବା ପଶ୍ଚିମବଙ୍ଗର ମନ୍ତ୍ରୀ ସୁଜିତ ବୋଷ କହିଛନ୍ତି। ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକପ୍ରକଟ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ସହାୟତା ରାଶି ଘୋଷଣା କରିଛନ୍ତି।


