କୋହଲିଙ୍କୁ ପିଛା ଛାଡ଼ୁନି ବିବାଦ: ଆଗେ ଫସୁଛନ୍ତି ପରେ ଦେଉଛନ୍ତି ସଫେଇ

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟର ତାରକା ବିରାଟ କୋହଲିଙ୍କୁ ନେଇ ପୁଣିଥରେ ଏକ ବିବାଦ ଚର୍ଚ୍ଚାକୁ ଆସିଛି। ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ଯିବାକୁ ନେଇ ଫଲାହାରୀ ମହାରାଜଙ୍କ ପକ୍ଷରୁ ଏକ ଗୁରୁତର ଦାବି କରାଯାଇଛି। ତେବେ କୋହଲିଙ୍କ ଅଧିକାରିକ ପ୍ରବକ୍ତା ଏହି ଦାବିକୁ ଖଣ୍ଡନ କରି ଏହାକୁ ମିଛ ଓ ଭିତ୍ତିହୀନ ବୋଲି କହିଛନ୍ତି।

ଶ୍ରୀକୃଷ୍ଣ ଜନ୍ମଭୂମି ସଂଘର୍ଷ ନ୍ୟାସର ଅଧ୍ୟକ୍ଷ ଦିନେଶ ଶର୍ମା ଓରଫ ଫଲାହାରୀ ମହାରାଜ ପ୍ରେମାନନ୍ଦ ମହାରାଜଙ୍କ ସୁରକ୍ଷା ଦାବି କରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ପତ୍ର ଲେଖିଥିବା ଦାବି କରାଯାଇଛି। ଏହି ପତ୍ରରେ ସେ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ନେଇ କିଛି ଅଭିଯୋଗ କରିବା ସହ ବିରାଟ କୋହଲିଙ୍କ ନାମ ମଧ୍ୟ ଉଲ୍ଲେଖ କରିଥିବା ଜଣାପଡ଼ିଛି।

ଫଲାହାରୀ ମହାରାଜଙ୍କ ଦାବି ଅନୁଯାୟୀ, କୋହଲିଙ୍କୁ ଏକ ଯୋଜନା ଅନୁସାରେ ଆଶ୍ରମକୁ ଅଣାଯାଇଥିଲା। ଏହା ପଛରେ ଆଶ୍ରମର ଲୋକପ୍ରିୟତା ବଢ଼ାଇବା ସହ ପ୍ରପର୍ଟି ବ୍ୟବସାୟ ସହ ଜଡ଼ିତ ସ୍ବାର୍ଥ ଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏହି ଦାବି ଉପରେ ବିରାଟ କୋହଲିଙ୍କ ଅଧିକାରିକ ପ୍ରବକ୍ତା ପ୍ରତିକ୍ରିୟା ଦେଇଛନ୍ତି। କୋହଲି ଓ ଅନୁଷ୍କା ଶର୍ମା ଗଭୀର ଆଧ୍ୟାତ୍ମିକ ଆସ୍ଥା ଓ ଶ୍ରଦ୍ଧା କାରଣରୁ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ଯାଇଥିଲେ ବୋଲି ପ୍ରବକ୍ତା କହିଛନ୍ତି। ଟଙ୍କା ଦେଇ ଦର୍ଶନ କରିବା କିମ୍ବା କୋହଲିଙ୍କୁ ଆଶ୍ରମକୁ ଆଣିବା ପାଇଁ ଟଙ୍କା ଖର୍ଚ୍ଚ ହୋଇଥିବା ଦାବିକୁ ମଧ୍ୟ କୋହଲିଙ୍କ ପକ୍ଷରୁ ମିଛ ଓ ନିରାଧାର ବୋଲି କୁହାଯାଇଛି।

ବିରାଟ କୋହଲିଙ୍କୁ ନେଇ ଏହା ପ୍ରଥମ ବିବାଦ ନୁହେଁ। ପୂର୍ବରୁ ମଧ୍ୟ ତାଙ୍କୁ ଅନେକ ଘଟଣାରେ ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି। ୨୦୧୮ରେ କୋହଲିଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଜଣେ ପ୍ରଶଂସକଙ୍କ କମେଣ୍ଟର ଜବାବ ଦେଇ ସେ କରିଥିବା କମେଣ୍ଟକୁ ନେଇ ବିବାଦ ହୋଇଥିଲା। ପରେ କୋହଲି ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ, ତାଙ୍କ ମନ୍ତବ୍ୟକୁ ଭୁଲ ଭାବରେ ବୁଝାଯାଇଛି ଏବଂ ସେ ଲୋକଙ୍କ ପସନ୍ଦର ସ୍ବାଧୀନତାକୁ ସମର୍ଥନ କରନ୍ତି।

୨୦୧୯ ବିଶ୍ୱକପ ସମୟରେ ପୂର୍ବତନ କ୍ରିକେଟର ଫାରୁଖ ଇଞ୍ଜିନିୟର ଭାରତୀୟ ଚୟନକର୍ତ୍ତାଙ୍କୁ ନେଇ ଏକ ମନ୍ତବ୍ୟ କରିଥିଲେ। ଏଥିରେ ଅନୁଷ୍କା ଶର୍ମାଙ୍କ ନାମ ଆସିବା ପରେ ବିବାଦ ତୀବ୍ର ହୋଇଥିଲା। ଅନୁଷ୍କା ଏହାକୁ ମିଛ ବୋଲି କହିଥିବା ବେଳେ ବିରାଟ କୋହଲି ମଧ୍ୟ ତାଙ୍କ ସମର୍ଥନରେ ଆସିଥିଲେ।

ନିକଟ ଅତୀତରେ ଅବନୀତ କୌରଙ୍କ ଏକ ଫ୍ୟାନ୍‌ ପେଜ୍‌ର ପୋଷ୍ଟକୁ ବିରାଟ କୋହଲିଙ୍କ ଅଧିକାରିକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ଲାଇକ କରାଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା। ପରେ କୋହଲି ସ୍ପଷ୍ଟ କରିଥିଲେ ଯେ ସେ ନିଜେ ଏହି ପୋଷ୍ଟକୁ ଲାଇକ କରି ନ ଥିଲେ। ଏହା ଆଲଗୋରିଦମ୍‌ରେ ଗ୍ଲିଚ କାରଣରୁ ହୋଇଥିବା ସେ କହିଥିଲେ। ବର୍ତ୍ତମାନ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ନେଇ ଉଠିଥିବା ଦାବି ଉପରେ କୋହଲିଙ୍କ ପକ୍ଷରୁ ଆସିଥିବା ସ୍ପଷ୍ଟୀକରଣ ପରେ ଏହି ମାମଲା ପୁଣି ଚର୍ଚ୍ଚାର କେନ୍ଦ୍ରକୁ ଆସିଛି।

 

Dharitri – Odisha’s No.1 Odia Daily

 

Share