Categories: ଖେଳ

ବନ୍ୟା ପ୍ରପୀଡ଼ିତଙ୍କ ସହାୟତା ଲାଗି ବ୍ୟାଟ୍‌ ନିଲାମ କରିବେ କୋହଲି

ନୂଆଦିଲ୍ଲୀ, ୩୧।୭: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଓ ତାଙ୍କ ସ୍ତ୍ରୀ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଆସାମ ଓ ବିହାର ବନ୍ୟାରେ ପ୍ରଭାବିତ ହୋଇଥିବା ଲକ୍ଷ ଲକ୍ଷ ଲୋକଙ୍କ ସହାୟତା ଲାଗି ଆଗେଇ ଆସିଛନ୍ତି। ଉଭୟ କୋହଲି ଓ ଅନୁଷ୍କା ରିଲିଫ୍‌ ପାଣ୍ଠିକୁ ସହାୟତା ଦେବା ଲାଗି ପ୍ରତିଶ୍ରୁତି ଦେବା ସହିତ ଲୋକମାନଙ୍କୁ ମଧ୍ୟ ସହାୟତା ଦେବା ପାଇଁ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି। ଏହି ଅବସରରେ କୋହଲି ତାଙ୍କର ସ୍ବାକ୍ଷରିତ ଥିବା ୨ଟି ବ୍ୟାଟ୍‌ ନିଲାମ ପାଇଁ ପ୍ରଦାନ କରିଛନ୍ତି। ଏହି ନିଲାମରୁ ଉପାର୍ଜିତ ଅର୍ଥ ଉଭୟ ବିହାର ଓ ଆସାମ ରାଜ୍ୟର ବନ୍ୟା ପୀଡ଼ିତ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ରିଲିଫ୍‌ ପାଣ୍ଠିକୁ ପ୍ରଦାନ କରାଯିବ। ସେହିଭଳି ଅନ୍ୟ ଭାରତୀୟ କ୍ରୀଡ଼ାବିତ୍‌ମାନଙ୍କ ମଧ୍ୟରେ ଲୋକେଶ ରାହୁଲ, କୁଲଦୀପ୍‌ ଯାଦବ, ଶୁବମନ ଗିଲ, ୟୁଜବେନ୍ଦ୍ର ଚହଲ, ରିଦ୍ଧିମାନ ସାହ, ସାନିଆ ମିର୍ଜା, ହରମନ୍‌ପ୍ରୀତ୍‌ କୌର ମଧ୍ୟ ବନ୍ୟା ପୀଡ଼ିତଙ୍କ ଲାଗି ପାଣ୍ଠି ସଂଗ୍ରହ କରିବା ଉଦ୍ଦେଶ୍ୟରେ ସେମାନଙ୍କର ମୂଲ୍ୟବାନ କ୍ରୀଡ଼ା ଉପକରଣ ନିଲାମ କରିବେ। ରାହୁଲ ନିଜର ଏକ ବ୍ୟାଟ୍‌ ନିଲାମ କରିବେ ବୋଲି ଜଣାପଡ଼ିଛି। ଯେଉଁ ବ୍ୟାଟ୍‌ ଧରି ସେ ଆଇପିଏଲ୍‌ରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିଲେ ସେହି ବ୍ୟାଟ୍‌କୁ ରାହୁଲ ନିଲାମୀ ପ୍ରକ୍ରିୟାକୁ ଦାନ କରିବେ। ସେହିଭଳି ହରମନପ୍ରୀତ୍‌ କୌର ଏକ ଜର୍ସି ନିଲାମୀ ପ୍ରକ୍ରିୟାକୁ ଦେବେ। ଏହି ଜର୍ସିଟି ସେ ନିଜର ୧୦୦ତମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଅବସରରେ ପିନ୍ଧିଥିଲେ। ଅପରପକ୍ଷରେ ସାନିଆ ମିର୍ଜା ୨୦୧୬ରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ମହିଳା ଡବଲ୍ସରେ ଚାମ୍ପିୟନ ହୋଇଥିବାବେଳେ ଯେଉଁ ର଼୍ୟାକେଟ୍‌ରେ ଖେଳିଥିଲେ ତାହାକୁ ନିଲାମୀ ପାଇଁ ଦେଇଛନ୍ତି।

Share