Categories: ଖେଳ

ଦଶନ୍ଧିର ସର୍ବଶ୍ରେଷ୍ଠ କ୍ରିକେଟର ହେଲେ କୋହଲି

ଲଣ୍ଡନ,୧୫।୪: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ୱିସଡେନ ଆଲମାନାକ ଦ୍ୱାରା ଦଶନ୍ଧିର ଶ୍ରେଷ୍ଠ ଏକଦିବସୀୟ କ୍ରିକେଟର ଭାବରେ ମନୋନୀତ ହୋଇଛନ୍ତି। ସେହିପରି କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ ‘ବର୍ଷର ଶ୍ରେଷ୍ଠ କ୍ରିକେଟର’ ଭାବରେ ମନୋନୀତ ହୋଇଛନ୍ତି। ୩୨ ବର୍ଷୀୟ କୋହଲି ଅଗଷ୍ଟ ୨୦୦୮ରେ ଶ୍ରୀଲଙ୍କା ବିପକ୍ଷରେ ଏକଦିବସୀୟ ଡେବ୍ୟୁ କରିଥିଲେ। ଏପର୍ଯ୍ୟନ୍ତ କୋହଲି ୨୫୪ଟି ଦିନିକିଆରେ ୧୨ ହଜାର ୧୬୯ ରନ ସଂଗ୍ରହ କରିଛନ୍ତି। ୱିଜଡେନ କହିଛନ୍ତି ଯେ ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚର ୫୦ତମ ବାର୍ଷିକୀରେ ପ୍ରତ୍ୟେକ ଦଶନ୍ଧିରୁ ପାଞ୍ଚ ଜଣ ଏକଦିବସୀୟ କ୍ରିକେଟର ଚୟନ କରାଯାଇଛି।
୧୯୭୧ରୁ ୨୦୨୧ମଧ୍ୟରେ ପ୍ରତ୍ୟେକ ଦଶନ୍ଧି ପାଇଁ ଜଣେ ଶ୍ରେଷ୍ଠ କ୍ରିକେଟର ଚୟନ କରାଯାଇଛି। କୋହଲି ୨୦୧୦ ଦଶକ ପାଇଁ ମନୋନୀତ ହୋଇଥିଲେ। କୋହଲି, ଯିଏକି ବିଶ୍ୱକପ ୨୦୧୧ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ,୪୨ ଶତକ ସମେତ ଦଶ ବର୍ଷରେ ୧୧ ହଜାରରୁ ଅଧିକ ରନ ସଂଗ୍ରହ କରିଛନ୍ତି। ମହାନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଏବଂ କପିଲ ଦେବଙ୍କୁ ମଧ୍ୟ ବହୁତ ସମ୍ମାନ ମିଳିଛି। ସଚିନଙ୍କୁ ୯୦ ଦଶକର ଶ୍ରେଷ୍ଠ କ୍ରିକେଟର ଭାବେ ମନୋନୀତ କରାଯାଇଥିଲା। ସେ ୧୯୯୮ରେ ନଅଟି ଏକଦିବସୀୟ ଶତକ ହାସଲ କରିଥିଲେ । ଭାରତର ବିଶ୍ୱକପ ବିଜେତା ଅଧିନାୟକ କପିଲ ଦେବ ୮୦ ଦଶକର ଶ୍ରେଷ୍ଠ କ୍ରିକେଟର ଭାବରେ ମନୋନୀତ ହୋଇଥିଲେ। କପିଲଙ୍କ ଅଧିନାୟକତ୍ୱ ଅଧୀନରେ ଭାରତ ୧୯୮୩ ବିଶ୍ୱକପ ଜିତିଥିଲା। ସେ ସେହି ଦଶନ୍ଧିରେ ସର୍ବାଧିକ ଉଇକେଟ ନେଇଥିଲେ ଏବଂ ସର୍ବାଧିକ ଷ୍ଟ୍ରାଇକ ହାରରେ ଏକ ହଜାରରୁ ଅଧିକ ରନ ସଂଗ୍ରହ କରିଥିଲେ।

Share