Categories: ଖେଳ

୩ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି-ରାହୁଲ

କଲମ୍ବୋ,୧୨।୯: ଏସିଆ କପ୍‌ ସୁପର-୪ ଏକ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୨୮ ରନ ବ୍ୟବଧାନରେ ପାକିସ୍ତାନକୁ ପରାସ୍ତ କରିଛି। ତେବେ ଏହାପୂର୍ବରୁ ବିରାଟ କୋହଲି ଏବଂ କେ.ଏଲ ରାହୁଲ ଭାରତ ପାଇଁ ଶତକୀୟ ଇନିଂସ ଖେଳିଥିଲେ। ବିରାଟ କୋହଲି ଏବଂ କେ.ଏଲ ରାହୁଲଙ୍କ ମଧ୍ୟରେ ତୃତୀୟ ଉଇକେଟ ପାଇଁ ୨୩୩ ରନର ଏକ ଅବିଭକ୍ତ ଭାଗିଦାରୀ ହୋଇଥିଲା। ଏହାସହିତ ବିରାଟ କୋହଲି ଏବଂ କେ.ଏଲ ରାହୁଲ ଅନେକ ବଡ଼ ରେକର୍ଡ ଭାଙ୍ଗିଛନ୍ତି।
ବିରାଟ କୋହଲି ଏବଂ କେ.ଏଲ ରାହୁଲଙ୍କ ମଧ୍ୟରେ ତୃତୀୟ ଉଇକେଟ ପାଇଁ ୨୩୩ ରନ ଭାଗିଦାରୀ ହୋଇଥିଲା। ଏସିଆ କପ ଇତିହାସରେ ଏହା ହେଉଛି ସବୁଠାରୁ ବଡ ଭାଗିଦାରୀ। ଏହାପୂର୍ବରୁ ଏହି ରେକର୍ଡ ପାକିସ୍ତାନର ମହମ୍ମଦ ହାଫିଜ ଏବଂ ନାସିର ଜାମସେଦଙ୍କ ନାମରେ ଥିଲା। ଏସିଆ କପ ୨୦୧୨ରେ ଦୁଇ ଖେଳାଳିଙ୍କ ମଧ୍ୟରେ ୨୨୪ ରନ ଭାଗିଦାରୀ ହୋଇଥିଲା। ଏହି ମ୍ୟାଚରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହୋଇଥିଲେ।
ଏହା ବ୍ୟତୀତ ବିରାଟ କୋହଲି ଏବଂ କେ.ଏଲ ରାହୁଲ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସବୁଠୁ ବଡ଼ ଭାଗିଦାରୀ କରିଥିଲେ। ଏହାପୂର୍ବରୁ ଏହି ରେକର୍ଡ ସଚିନ ତେନ୍ଦୁଲକର ଏବଂ ନବଜୋତ ସିଂ ସିଦ୍ଧୁଙ୍କ ନାମରେ ଥିଲା। ସଚିନ ତେନ୍ଦୁଲକର ଏବଂ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଦ୍ୱିତୀୟ ଉଇକେଟ ପାଇଁ ୨୩୧ ରନ ଭାଗିଦାରୀ ହୋଇଥିଲା। ୨୦୧୮ରେ ଶିଖର ଧାୱନ ଏବଂ ରୋହିତ ଶର୍ମା ପାକିସ୍ତାନ ବିପକ୍ଷରେ ୨୧୦ ରନର ଭାଗିଦାରୀ କରିଥିଲେ।
ଦିନିକିଆ କ୍ରିକେଟ ଇତିହାସରେ ତୃତୀୟ ଥର ଭାରତ ପାଇଁ ୩ ନମ୍ବର ଏବଂ ୪ ନମ୍ବର ବ୍ୟାଟ୍ସମ୍ୟାନ ଏକ ମ୍ୟାଚରେ ଶତକ ହାସଲ କରିଛନ୍ତି। ରାହୁଲ ଦ୍ରାବିଡ଼ ଏବଂ ସଚିନ ତେନ୍ଦୁଲକରଙ୍କ ବ୍ୟତୀତ ଗୌତମ ଗମ୍ଭୀର ଏବଂ ବିରାଟ କୋହଲି ଏହି ସଫଳତା ହାସଲ କରିଥିଲେ।

Share