Categories: ଖେଳ

ବଡ଼ ଉପଲବ୍ଧି ହାସଲ କଲେ କୋହଲି

ହାଇଦ୍ରାବାଦ,୨୬।୯: ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚରେ ବିରାଟ କୋହଲି ୬୩ର ଚମତ୍କାର ଇନିଂସ ଖେଳିଥିଲେ। ଏହି ଇନିଂସ ସହ ବିରାଟ କୋହଲି ଏକ ବିଶେଷ ଉପଲବ୍ଧି ହାସଲ କରିଛନ୍ତି। ସଚିନ ତେନ୍ଦୁଲକରଙ୍କ ପରେ ବିରାଟ କୋହଲି ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟର ଦ୍ୱିତୀୟ ସର୍ବାଧିକ ରନ ସ୍କୋରର ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ବିରାଟ କୋହଲି ରାହୁଲ ଦ୍ରାବିଡଙ୍କୁ ପଛରେ ପକାଇ ଦେଇଛନ୍ତି।
ସଚିନ ତେନ୍ଦୁଲକର ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି। ଅନ୍ତର୍ଜାତୀୟ କ୍ୟାରିୟର ସମୟରେ ସଚିନ ୩୪୩୫୭ ରନ ସ୍କୋର କରିଥିଲେ। ବିରାଟ କୋହଲି ବର୍ତ୍ତମାନ ୨୪୦୭୮ ରନ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ରାହୁଲ ଦ୍ରାବିଡ ୨୪୦୬୪ ରନ ସହ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି।
ବିରାଟ କୋହଲି ୨୦୦୮ରେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିଲେ। ପ୍ରାରମ୍ଭରେ ବିରାଟ କୋହଲି କେବଳ ଦିନିକିଆ କ୍ରିକେଟ ଖେଳିବାର ସୁଯୋଗ ପାଇଥିଲେ। ସେ ୨୬୨ଟି ଦିନିକିଆରେ ୧୨୩୪୪ ରନ ସଂଗ୍ରହ କରିଛନ୍ତି। ବିରାଟ ମଧ୍ୟ ଦିନିକିଆରେ ୪୩ ଶତକ ହାସଲ କରିଛନ୍ତି।
୨୦୧୧ରେ ବିରାଟ କୋହଲି ତାଙ୍କର ଟେଷ୍ଟ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ। ବିରାଟ କୋହଲି ତାଙ୍କର ପ୍ରଥମ ୨୦ ଟେଷ୍ଟ ମ୍ୟାଚରେ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ତେବେ ଦଳର ଅଧିନାୟକ ହେବା ପରେ ତାଙ୍କ ଖେଳ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ସେ ୧୦୨ ଟେଷ୍ଟରେ ୮୦୭୪ ରନ ସଂଗ୍ରହ କରିଛନ୍ତି। ତେବେ ଟି-୨୦ କ୍ରିକେଟରେ କୋହଲି ୧୦୭ ଟି-୨୦ ମ୍ୟାଚରେ ୩୬୬୦ ରନ ସଂଗ୍ରହ କରିଛନ୍ତି।

Share