Categories: ଖେଳ

ଶୀର୍ଷ ସ୍ଥାନ ଠାରୁ ୮ ପଏଣ୍ଟ ଦୂରରେ କୋହଲି

ଦୁବାଇ, ୨୬।୫: ଭାରତୀୟ ଅଧିନାୟକ ବିରାଟ କୋହଲି ଦିନିକିଆ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନଠାରୁ ମାତ୍ର ୮ ପଏଣ୍ଟ ପଛରେ ଅଛନ୍ତି। ବର୍ତ୍ତମାନ ସର୍ବାଧିକ ୮୬୫ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି ପାକିସ୍ତାନ ଅଧିନାୟକ ଅଧିନାୟକ ବାବର ଆଜାମ। ଦ୍ୱିତୀୟ ସ୍ଥାନରେ ଥିବା କୋହଲିଙ୍କ ପାଖରେ ଅଛି ୮୫୭ ପଏଣ୍ଟ। ଆଇସିସି ପକ୍ଷରୁ ବୁଧବାର ପ୍ରକାଶ ପାଇଥିବା ଦିନିକିଆ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ ଏହା ଦର୍ଶାଇଛି। କୋହଲିଙ୍କ ପଛକୁ ତୃତୀୟ ସ୍ଥାନରେ ରହିଛନ୍ତି ଭାରତୀୟ ସୀମିତ ଓଭର କ୍ରିକେଟ ଦଳର ଉପଅଧିନାୟକ ରୋହିତ ଶର୍ମା (୮୨୫)।

ବୋଲରଙ୍କ ତାଲିକାରେ ଟପ୍‌-୧୦ରେ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି ଯଶପ୍ରୀତ ବୁମରା। ସେ ୬୯୦ ପଏଣ୍ଟ ସହ ତାଲିକାର ୫ମ ସ୍ଥାନରେ ଅଛନ୍ତି। ତାଲିକାର ଶୀର୍ଷରେ ରହିଛନ୍ତି ନ୍ୟୁଜିଲାଣ୍ଡ ପେସର ଟ୍ରେଣ୍ଟ ବୋଲ୍ଟ (୭୩୭ ପଏଣ୍ଟ)। ବାଂଲାଦେଶର ମେହିଦି ହାସନ (୭୨୫), ଆଫଗାନିସ୍ତାନର ମୁଜୀବ ଉର ରେହମାନ (୭୦୮) ଓ ନ୍ୟୁଜିଲାଣ୍ଡର ମ୍ୟାଟ ହେନରି (୬୯୧) ଟପ୍‌-୪’ରେ ରହିଛନ୍ତି।

Share