ଯିଏ ତାଙ୍କୁ ‘ଶୂନ’ରେ ଆଉଟ୍‌ କରିଥିଲେ, ମ୍ୟାଚ୍‌ ପରେ ତାଙ୍କୁ ହିଁ ବଡ଼ ଉପହାର ଦେଲେ କୋହଲି

ନୂଆଦିଲ୍ଲୀ,୧୪।୧୧:ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ଭାରତୀୟ ଦଳର ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ। ମାତ୍ର ୮୯ ରନ୍‌ରେ ଅଲଆଉଟ ହୋଇ ୨୪୪ ରନ୍‌ର ବୃହତ୍‌ ବ୍ୟବଧାନରେ ପରାସ୍ତ ହୋଇଛି ଟିମ ଇଣ୍ଡିଆ। ଭାରତର ଏହି ଦୟନୀୟ ସ୍ଥିତି ପାଇଁ ନ୍ୟୁଜିଲାଣ୍ଡର ଅଭିଜ୍ଞ ଦ୍ରୁତ ବୋଲର ମ୍ୟାଟ ହେନରୀ ମୁଖ୍ୟ ଭାବେ ଦାୟୀ। ସେ ଏକାକୀ ୬ଟି ଉଇକେଟ ନେଇ ଭାରତୀୟ ବ୍ୟାଟିଂ ଲାଇନଅପକୁ ଧ୍ୱଂସ କରିଦେଇଥିଲେ। ତାଙ୍କ ଶିକାର ହୋଇଥିଲେ ଷ୍ଟାର୍‌ ବ୍ୟାଟର ବିରାଟ କୋହଲି ମଧ୍ୟ। ତେବେ ପଡ଼ିଆରେ ହେନରୀଙ୍କ ବୋଲିଂର ଶିକାର ହେବା ପରେ ମଧ୍ୟ ତାଙ୍କ ଦକ୍ଷତାକୁ ପ୍ରଶଂସା କରିଛନ୍ତି ବିରାଟ। ଏପରିକି ମ୍ୟାଚ ପରେ ନ୍ୟୁଜିଲାଣ୍ଡ ଡ୍ରେସିଂ ରୁମକୁ ଯାଇ ହେନରୀଙ୍କୁ ନିଜ ଟିମ ଇଣ୍ଡିଆ ଜର୍ସି ଉପହାର ଦେଇଛନ୍ତି।

ମାଉଣ୍ଟ ମାଉଙ୍ଗାନୁଇର ବେ ଓଭାଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ମ୍ୟାଟ ହେନରୀ ପ୍ରଥମ ଓଭରରୁ ହିଁ ଭାରତକୁ ଶକ୍ତ ଝଟକା ଦେଇଥିଲେ। ରୋହିତ ଶର୍ମା, ବିରାଟ କୋହଲି ଏବଂ ଶ୍ରେୟସ ଆୟରଙ୍କୁ ପ୍ୟାଭିଲିୟନ ପଠାଇ ଭାରତର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଏହି ତିନି ଜଣ ବ୍ୟାଟର ଖାତା ମଧ୍ୟ ଖୋଲିପାରି ନ ଥିଲେ।

ମ୍ୟାଚ୍‌ରେ ହେନରୀଙ୍କ ଘାତକ ବୋଲିଂରେ ଭାରତ ପରାସ୍ତ ହୋଇଥିଲେ ମଧ୍ୟ ତାଙ୍କ ପ୍ରଦର୍ଶନକୁ ଖୁବ ପ୍ରଶଂସା କରିଛନ୍ତି ବିରାଟ କୋହଲି। ନ୍ୟୁଜିଲାଣ୍ଡ କ୍ରିକେଟ ପକ୍ଷରୁ ସୋସିଆଲ ମିଡିଆରେ ଉଭୟଙ୍କ ସାକ୍ଷାତର ଏକ ଭିଡିଓ ଶେୟାର କରାଯାଇଛି। ଏଥିରେ ବିରାଟ ନିଜ ଭାରତୀୟ ଦଳର ଜର୍ସି ହେନରୀଙ୍କୁ ଉପହାର ଦେଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ଉଭୟ ଖେଳାଳିଙ୍କ ମଧ୍ୟରେ ମ୍ୟାଚକୁ ନେଇ କିଛି ସମୟ ଆଲୋଚନା ମଧ୍ୟ ହୋଇଥିଲା। ହେନରୀଙ୍କ ବୋଲିଂକୁ ଚମତ୍କାର ବୋଲି କହିବା ସହ ପ୍ରଥମ ଓଭରରେ ସୂର୍ଯ୍ୟକିରଣର ପ୍ରଭାବ ମଧ୍ୟ ରହିଥାଇପାରେ ବୋଲି କହିଥିଲେ ବିରାଟ। ଏହାସହ ପିଚ୍‌ରେ ଏତେ ବଡ଼ ପରିବର୍ତ୍ତନ ହେବ ବୋଲି ସେ ଆଶା କରି ନ ଥିବା କହିଥିଲେ।

ଏହି ମ୍ୟାଚ୍ରେ ଅସାଧାରଣ ସଫଳତା ପାଇବା ସତ୍ତ୍ୱେ ମ୍ୟାଟ ହେନରୀ ନିଜକୁ ଶ୍ରେଷ୍ଠ ବୋଲର କହିବାକୁ ପସନ୍ଦ କରିନାହାନ୍ତି। ଦିନିକିଆ କ୍ରିକେଟ୍‌ରେ ଏହା ତାଙ୍କର ସବୁଠାରୁ ଭଲ ପ୍ରଥମ ଓଭର ଥିଲା କି ବୋଲି ପଚରାଯିବାରୁ ସେ କହିଥିଲେ, ଏହାଠାରୁ ମଧ୍ୟ ଭଲ ପ୍ରଦର୍ଶନ ଅନ୍ୟ କୌଣସି ବୋଲର କରିଥାଇପାରନ୍ତି। ଅନେକ ଦିନିକିଆ ମ୍ୟାଚ ଖେଳାଯାଇଛି ଏବଂ ନିଶ୍ଚିତ ଭାବେ ଏହାଠାରୁ ଭଲ ପ୍ରଦର୍ଶନ ମଧ୍ୟ ରହିଥିବ ବୋଲି ସେ କହିଥିଲେ। ପ୍ରତିପକ୍ଷ ଦଳକୁ ବଡ଼ ପରାଜୟ ଦେଇଥିବା ବୋଲରଙ୍କୁ ନିଜ ଜର୍ସି ଉପହାର ଦେଇ ବିରାଟ ପୁଣିଥରେ କ୍ରିକେଟ ଜଗତରେ ଖେଳୁଆଡ଼ ମନୋଭାବ ଓ ପରସ୍ପର ପ୍ରତି ସମ୍ମାନର ଏକ ସୁନ୍ଦର ଉଦାହରଣ ରଖିଛନ୍ତି।

 

Dharitri – Odisha’s No.1 Odia Daily

 

Share