Categories: ଖେଳ

୧୦ ବର୍ଷରେ ପ୍ରଥମ ଥର ଏମିତି ହୋଇଛି, ମାସେ ଯାଏ ମୁଁ ବ୍ୟାଟ୍‌ ଛୁଇଁନି: କୋହଲି

ଦୁବାଇ,୨୭।୮: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ବିରାଟ କୋହଲି ଦୀର୍ଘଦିନରୁ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଏଥିଲାଗି ତାଙ୍କୁ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡ଼ୁଛି। ଦେଢ଼ ବର୍ଷ ଧରି ବ୍ୟାଟ୍‌ରୁ ଆଖି ଦୃଶିଆ ରନ୍‌ ନ ବାହାରିବା ଯୋଗୁ ତାଙ୍କୁ ଦଳରୁ ବାଦ୍‌ ଦିଆଯାଉ ବୋଲି ମଧ୍ୟ ଦାବି ହେଉଛି। ଏଭଳିସ୍ଥିତିରେ ବୋର୍ଡ ତାଙ୍କୁ ବିଗତ କିଛି ସିରିଜରେ ବିଶ୍ରାମ ଦେଇଥିଲା। ଏବେ କୋହଲି ଏନେଇ ନିଜର ପ୍ରତିକ୍ରିୟା ରଖି ଭାବବିହ୍ବଳ ହୋଇଛନ୍ତି।

ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଖେଳିବା ପୂର୍ବରୁ ସେ ଷ୍ଟାର ସ୍ପୋଟ୍ସକୁ ସାକ୍ଷାତକାର ଦେଇଥିଲେ। ଏଥିରେ ସେ କହିଛନ୍ତି, ୧୦ ବର୍ଷରେ ପ୍ରଥମ ଥର ହୋଇଛି, ଯେବେ ମୁଁ ମାସେ ଯାଏ ନିଜ ବ୍ୟାଟ୍‌କୁ ହାତ ବି ଲଗାଇନାହିଁ। ଗୋଟିଏ ପଟେ ନିଜର କ୍ଷମତା ଖେଳିବାକୁ କହୁଥିବା ବେଳେ ଶରୀର କିଛି ସମୟ ବିଶ୍ରାମ ନେବାକୁ କହୁଥିଲା। ମୋତେ ସବୁବେଳେ ଏଭଳି ବ୍ୟକ୍ତି ଭାବେ ଦେଖାଯାଇଛି, ଯିଏ ବହୁତ ମଜଭୂତ। ମୁଁ ସେମିତି ବି। ହେଲେ ସମସ୍ତଙ୍କର ଏକ ସୀମା ଥାଏ। ଆମକୁ ସେହି ସୀମା ଜାଣିବାକୁ ପଡ଼ିଥାଏ। ନଚେତ ବହୁତ କିଛି ନିଜ ପାଇଁ ଖରାପ ହୋଇଥାଏ। ଏହି ସମୟ ମୋତେ ବହୁତ କିଛି ଶିଖାଇଛି, ଯାହାକୁ ମୁଁ ବୁଝି ପାରୁ ନ ଥିଲି। ଯେତେବେଳେ ମୋ ସମ୍ମୁଖକୁ ତାହା ଆସିଲା ସେତେବେଳେ ମୁଁ ତାକୁ ସ୍ବିକାର କଲି ବୋଲି ସେ କହିଛନ୍ତି।

ଏହାଛଡ଼ା ମାନସିକ ଭାବେ ଦୁର୍ବଳ ହେବାକୁ ନେଇ କୋହଲି କହିଛନ୍ତି, ମୁଁ ମାନସିକ ଭାବେ ଦୁର୍ବଳ ହୋଇଥିଲି। ଏହାକୁ ସ୍ବିକାର କରିବାରେ କୌଣସି ଅସୁବିଧା ନାହିଁ। ଏହା ବହୁତ ସାମାନ୍ୟ କଥା, ଯାହା ମୁଁ ଅନୁଭବ କରିଛି। ହେଲେ ଆମେ ଅସାମଞ୍ଜସ୍ୟ ଯୋଗୁ ଆମେ କହିପାରେ ନାହିଁ। କାରଣ ଆମେ ନିଜକୁ ମାନସିକସ୍ତରରେ ଦୁର୍ବଳ ହିସାବରେ ଦେଖିପାରେନା। ହେଲେ ବିଶ୍ୱାସ କରନ୍ତୁ, ମଜଭୂତ ଥିବା ଦେଖେଇ ହେବା ଦୂର୍ବଳତାକୁ ସ୍ବିକାର କରିବାଠାରୁ ଅଧିକ ଘାତକ ବୋଲି ମଧ୍ୟ କୋହଲି କହିଛନ୍ତି।

Share