Categories: ଖେଳ

ଫାଇନାଲରେ ଏହିସବୁ ‘ବିରାଟ’ ରେକର୍ଡ ଭାଙ୍ଗିପାରନ୍ତି କୋହଲି

ଲଣ୍ଡନ,୧୮।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି) ଫାଇନାଲରେ ଭାରତୀୟ ଅଧିନାୟକ ବିରାଟ କୋହଲି ଅନେକ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି। ଶୁକ୍ରବାର ଲଣ୍ଡନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ଖେଳିବା ମାତ୍ରେ ସର୍ବାଧିକ ଟେଷ୍ଟ ମ୍ୟାଚରେ ଭାରତର ନେତୃତ୍ୱ ନେଇଥିବା ଅଧିନାୟକ ହୋଇଯିବେ। ଯଦି ଏହି ମ୍ୟାଚରେ ସେ ଭାରତକୁ ବିଜୟୀ କରାନ୍ତି ତେବେ ସେ ଦୁନିଆର ସବୁଠାରୁ ସଫଳ ଅଧିନାୟକ ତାଲିକାରେ ଚାରି ନମ୍ବର ସ୍ଥାନ ଅଧିକାର କରିବେ। କୋହଲି ଏପର୍ଯ୍ୟନ୍ତ ୬୦ଟି ଟେଷ୍ଟରେ ଭାରତର ନେତୃତ୍ୱ ନେଇଛନ୍ତି ଏବଂ ସେ ଏବେ ମହେନ୍ଦ୍ର ସିଂ ଧୋନୀଙ୍କ ସହ ସମାନରେ ଅଛନ୍ତି।
୨୦୧୪ରେ ପ୍ରଥମ ଥର ପାଇଁ ଟେଷ୍ଟ ଦଳର ଅଧିନାୟକ ହୋଇଥିବା କୋହଲି ୬୦ଟି ମ୍ୟାଚ ମଧ୍ୟରୁ ୩୬ଟି ଜିତିଛନ୍ତି। ଯାହାକି ଏକ ଭାରତୀୟ ରେକର୍ଡ। ୬୦ଟି ମ୍ୟାଚରୁ ୨୭ ଟି ବିଜୟ ସହ ଧୋନୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହି ସମୟ ମଧ୍ୟରେ ଏକ ବିଜୟ କୋହଲିଙ୍କୁ ୱେଷ୍ଟଇଣ୍ଡିଜ କିମ୍ବଦନ୍ତୀ କ୍ଲାଇବ୍‌ ଲଏଡଙ୍କୁ ସର୍ବାଧିକ ମ୍ୟାଚ ଜିତିଥିବା ଅଧିନାୟକ ତାଲିକାରେ ମଧ୍ୟ ପଛରେ ପକାଇବାର ସମ୍ଭାବନା ରହିଛି।
କ୍ଲାଇବ୍‌ ଲଏଡଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ୍‌ ୭୪ଟି ମ୍ୟାଚ ଖେଳି ସେଥିମଧ୍ୟରୁ ୩୬ଟି ଜିତିଥିଲା। ଅଧିନାୟକ ଭାବରେ ସର୍ବାଧିକ ମ୍ୟାଚ ଜିତିବାର ରେକର୍ଡ ଦକ୍ଷିଣ ଆଫ୍ରିକାର ଗ୍ରାମ ସ୍ମିଥଙ୍କ ନାମରେ ନାମିତ ହୋଇଛି (୧୦୯ ମ୍ୟାଚରେ ୫୩ଟି ବିଜୟ) । ଏହାପରେ ଅଷ୍ଟ୍ରେଲିଆର ରିକି ପଣ୍ଟିଙ୍ଗ (୭୭ ମ୍ୟାଚରୁ ୪୮ଟି ବିଜୟ) ଏବଂ ଷ୍ଟିଭ ୱ (୫୭ ଟି ମ୍ୟାଚରୁ ୪୧ଟି ବିଜୟ) ରହିଛି।

Share