Categories: ଖେଳ

ପଦରୁ ହଟିବା ପରେ କୋହଲିଙ୍କୁ ନେଇ ରବି ଶାସ୍ତ୍ରୀଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୩।୧୧: ଭାରତର ପୂର୍ବ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶାସ୍ତ୍ରୀ କହିଛନ୍ତି, କୋଭିଡ-୧୯ ସହ ଜଡ଼ିତ ଚାପର ମୁକାବିଲା ପାଇଁ କୋହଲି ଟି-୨୦ ପରେ ଅନ୍ୟ ଫର୍ମାଟର ଅଧିନାୟକ ପଦ ଛାଡ଼ି ପାରନ୍ତି। ତାଙ୍କ ନେତୃତ୍ୱରେ ଦଳ ଟେଷ୍ଟ କ୍ରିକେଟରେ ଗତ ୫ ବର୍ଷ ଧରି ଶୀର୍ଷରେ ରହିଆସୁଛି। ଯେତେବେଳ ଯାଏ ସେ ମାନସିକ ଭାବେ ଥକି ନାହାନ୍ତି, ସେତେବେଳ ଯାଏ ତାକୁ ସେ ଛାଡ଼ିବାକୁ ଚାହିଁବେ ନାହିଁ। ତେବେ ନିକଟ ଭବିଷ୍ୟତରେ ବ୍ୟାଟିଂ ଉପରେ ଧ୍ୟାନ ଦେବା ଲାଗି ସେ ଅଧିନାୟକତ୍ୱ ଛାଡ଼ି ପାରନ୍ତି ବୋଲି ସେ କହିଛନ୍ତି।

ଏହାଛଡ଼ା ଶାସ୍ତ୍ରୀ କହିଛନ୍ତି, କୋହଲି ତୁରନ୍ତ ଅଧିନାୟକ ପଦ ଛାଡ଼ି ନପାରନ୍ତି। ହେଲେ ଏପରି ହୋଇପାରେ। ସେ କେବଳ ଟେଷ୍ଟ କ୍ରିକେଟ ଉପରେ ଧ୍ୟାନ ଦେବାକୁ ଚାହାନ୍ତି। ତାଙ୍କ ଭିତରେ ଖେଳରେ ଭଲ କରିବାର ଭୋକ ନିହାତି ରହିଛି। ସେ ଟିମ୍‌ର ସମସ୍ତଙ୍କଠାରୁ ଅଧିକ ଫିଟ୍‌। ସେ ନେଇ ଦ୍ୱନ୍ଦ୍ୱ ନାହିଁ। ଯେତେବେଳେ କେହି ଶାରୀରିକ ଭାବେ ଫିଟ୍‌ ଥାନ୍ତି, ତେବେ ଖେଳରେ ନିଜର ବୟସ ବଢ଼ିଥାଏ। ଅଧିନାୟକ ମାମଲାରେ ସେ ଯାହା କରିବେ ନିଜସ୍ବ ନିଷ୍ପତ୍ତି ରହିବ। ହେଲେ ସେ ଧଳା ବଲ୍‌ କ୍ରିକେଟକୁ ନା କହି ଲାଲ ବଲ୍‌ କ୍ରିକେଟ ଜାରି ରଖିବା ଉଚିତ। କାରଣ ସେ ଟେଷ୍ଟ କ୍ରିକେଟରେ ଖୁବ୍‌ ଭଲ ପ୍ରଦର୍ଶନ କରିଆସିଛନ୍ତି ବୋଲି ସେ ମଧ୍ୟ କହିଛନ୍ତି।

Share