ଲୋପ ପାଇବ କୋଚିଲାଖାଇ ବଂଶ

ଗଣିଆ,୭ା୨(ଡି.ଏନ୍‌.ଏ.): ପ୍ରାକୃତିକ ଜଙ୍ଗଲ ଧ୍ୱଂସ, ଅବାଧ ଶିକାର ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ପଶୁ ତୁଳନାରେ ପକ୍ଷୀ ବଂଶ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ବାଲିଶୁଆ, ନାହାକା ଶୁଆ, ରାଜବଣୀ ପରି କୋଚିଲାଖାଇ ପକ୍ଷୀଙ୍କୁ ଆଉ ଜଙ୍ଗଲରେ ଦେଖିବାକୁ ମିଳୁନାହିଁ। ଏଠାରେ କୋଚିଲାଖାଇକୁ ଉଦାହରଣ ଭାବେ ନିଆଯାଇପାରେ। ଓଡ଼ିଶାରେ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ କେଉଁଠି କୋଚିଲାଖାଇ ଦେଖାଯାଉନାହିଁ। ବିଶେଷକରି ଶିମିଳିପାଳ ଓ ସାତକୋଶିଆ ଅଭୟାରଣ୍ୟରେ କୋଚିଲାଖାଇଙ୍କ ସଂଖ୍ୟା ଅଧିକ ଥିଲା। ଏବେ ସେହି ସଂଖ୍ୟା କମିବାରେ ଲାଗିଛି। କୋଚିଲାଖାଇ (ହର୍ନବିଲ୍‌) ସାଧାରଣତଃ ତିନି ପ୍ରଜାତିର ଦେଖାଯାଆନ୍ତି। ମାଲବାର ପାଏଡ ହର୍ନବିଲ, ଇଣ୍ଡିଆନ୍‌ ଗ୍ରେ ହର୍ନବିଲ୍‌ ଏବଂ ଓରିଏଣ୍ଟାଲ ପାଏଡ ହର୍ନବିଲ। ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳର ବଡମୂଳ, କୁତୁରୀ, ମାରଡ଼ା ନିକଟସ୍ଥ ମହାନଦୀ ଅବବାହିକାର ଘଞ୍ଚ ଜଙ୍ଗଲରେ ମାଲବାର ପାଏଡ ଓ ଇଣ୍ଡିଆନ ଗ୍ରେ ହର୍ନବିଲ୍‌ ଦେଖିବାକୁ ମିଳିଥାଆନ୍ତି। ବିଶେଷକରି ଶୀତଋତୁର ସକାଳ ଓ ସନ୍ଧ୍ୟାରେ ମହାନଦୀ କୂଳରେ ଥିବା ଉଚ୍ଚ ବରଗଛ, ଫାଶୀଗଛ ଓ କୋଚିଲା ଗଛର ଅଗ୍ରଭାଗରେ ଏହି ପକ୍ଷୀ ବସିଥାଆନ୍ତି।

କୋଚିଲାଖାଇ ପକ୍ଷୀ ଦେଖିବାକୁ ଖୁବ୍‌ ସୁନ୍ଦର। ତାଙ୍କ ଶରୀର କଳାଧଳା ମିଶ୍ରିତ ଓ ବେକ ତଳେ ଧଳା ରଙ୍ଗର ଦାଗ ଥାଏ। ଥଣ୍ଟଟି ଶରୀର ତୁଳନାରେ ବହୁତ ଲମ୍ବା ଓ ବଙ୍କା। ହଳଦୀ ରଙ୍ଗର ଲମ୍ବାଳିଆ ଥଣ୍ଟ ଉପରେ ମୁକୁଟ ବେଶ୍‌ ମନଲୋଭା। ଏହି ଦେଶୀୟ ପକ୍ଷୀ ବିଶେଷକରି କୋଚିଲା ଫଳ ସହ ଜଙ୍ଗଲର ବିଭିନ୍ନ ଫଳ ଖାଇଥାନ୍ତି। ଗୋଟିଏ ଦଳରେ ୧୫ରୁ ୨୦ କୋଚିଲାଖାଇ ପକ୍ଷୀ ରହିଥାଆନ୍ତି। ନିଜର ଓ ଶାବକମାନଙ୍କ ସୁରକ୍ଷା ପାଇଁ ସେମାନେ ଉଚ୍ଚା ଗଛର କୋରଡ଼ରେ ବସା ବାନ୍ଧିଥାଆନ୍ତି। ମାଈ କୋଚିଲାଖାଇ ପକ୍ଷୀ ଅଣ୍ଡା ଦେବା ପରଠାରୁ ଛୁଆ ଫୁଟାଇବା ପର୍ଯ୍ୟନ୍ତ ବସାରେ ଜଗି ରହିଥାଏ। ଅଣ୍ଡିରା କୋଚିଲାଖାଇ ପକ୍ଷୀ ନିଜ ଥଣ୍ଟରେ ଚିକିଟା ମାଟି ସଂଗ୍ରହ କରି ବସା ବାନ୍ଧିଥିବା କୋରଡ଼ର ମୁହଁ ବନ୍ଦ କରିଦେଇଥାଏ। କେବଳ ଥଣ୍ଟ ଗଳିବା ପାଇଁ ଛୋଟ ବାଟ ରଖିଥାଏ। ଛୁଆ ବଡ଼ ହେବା ପର୍ଯ୍ୟନ୍ତ ଅଣ୍ଡିରା କୋଚିଲାଖାଇ ପକ୍ଷୀ ମା’ ଶାବକକୁ ଖାଦ୍ୟ ସଂଗ୍ରହ କରି ଦେଇଥାଏ। ଛୁଆ ବଡ଼ ହେବା ପରେ କୋରଡ଼ ମୁହଁରେ ଥିବା ମାଟିକୁ ଭାଙ୍ଗି ଶାବକ ଓ ମାଈ କୋଚିଲାଖାଇକୁ ବାହାରକୁ ବାହାର କରିଥାଏ। ତେବେ ଏହି ସମୟରେ ଯଦି ଅଣ୍ଡିରା ପକ୍ଷୀଟିର ଶିକାରୀ କିମ୍ବା ଶତ୍ରୁ ଦ୍ୱାରା ମୃତ୍ୟୁ ହୋଇଥାଏ, ତେବେ ମା’ପକ୍ଷୀ ଓ ଶାବକଟିର ଖାଦ୍ୟ ବିନା ମୃତ୍ୟୁ ହୋଇଥାଏ। କେବଳ ଅଣ୍ଡିରା ପକ୍ଷୀଟି ଜାଣିଥାଏ ମା’ ଓ ଶାବକ କେଉଁ ଗଛର କୋରଡ଼ରେ ରହିଥାନ୍ତି। ଏହା ଅବିଶ୍ୱସନୀୟ ହେଲେ ବି ସତ୍ୟ।

ଲୋକମାନେ ଶ୍ୱାସ ଓ ବାତ ରୋଗର ଉପଶମ ପାଇଁ କୋଚିଲାଖାଇ ପକ୍ଷୀର ମାଂସରୁ ଅର୍କ ପ୍ରସ୍ତୁତ କରି ଔଷଧ ରୂପେ ବ୍ୟବହାର କରିଥାଆନ୍ତି। ଏଥିପାଇଁ କେତେଜଣ ଲୋକ ଏହି ପକ୍ଷୀ ଶିକାର କରିବା ସହ ଚଢ଼ାଦାମରେ ବିକ୍ରି କରି ରାଜ୍ୟ ବାହାରକୁ ଚାଲାଣ କରିଥାନ୍ତି। କୋଚିଲାଖାଇ ପକ୍ଷୀର ମାଂସରୁ ତିଆରି ଔଷଧରେ ରୋଗ ଉପଶମ ହେବା ଏକ ଭ୍ରାନ୍ତ ଧାରଣା ବୋଲି ବହୁ ପରିବେଶବିତ୍‌ ଓ ଚିକିତ୍ସକ କହିଛନ୍ତି। ତଥାପି ଏପରି ପକ୍ଷୀ ଶିକାର ଚାଲିଛି। ସଚେତନତା ଅଭାବ ଯୋଗୁ ଆଗାମୀ ଦିନରେ ଏଭଳି ବିରଳ ପ୍ରଜାତିର ପକ୍ଷୀବଂଶ ଲୋପ ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି।