Posted inUncategorized

ଗୀତାର ଅମୃତଜ୍ଞାନ

ଡା. ଉମେଶ ଚନ୍ଦ୍ର ପାତ୍ର

ହିନ୍ଦୁ ପରମ୍ପରା ଅନୁଯାୟୀ ଶ୍ରୀମଦ୍‌ ଭଗବତ୍‌ ଗୀତାର ସୃଷ୍ଟି ଦିବସକୁ ଗୀତା ଜୟନ୍ତୀ ଭାବେ ପାଳନ କରାଯାଇଥାଏ। ମାର୍ଗଶିର ଶୁକ୍ଳ ଏକାଦଶୀରୁ ଚତୁର୍ଦ୍ଦଶୀ ମଧ୍ୟରେ ଗୀତା ଜୟନ୍ତୀ ପାଳନ କରାଯାଇଥାଏ। ମହାଭାରତ ଯୁଦ୍ଧ ପୂର୍ବରୁ ଯୁଦ୍ଧଭୂମିରେ ଆତ୍ମୀୟସ୍ବଜନଙ୍କୁ ଦେଖି ମୋହଗ୍ରସ୍ତ ହୋଇପଡ଼ିଥିବା ଅର୍ଜୁନଙ୍କୁ ଯୋଗୀରାଜ ଶ୍ରୀକୃଷ୍ଣ ଗୀତା ଉପଦେଶ ପ୍ରଦାନ କରିଥିଲେ। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଛନ୍ଦ ରୂପରେ ଅର୍ଥାତ୍‌ ଗୀତା ଗାଇ ଉପଦେଶ ପ୍ରଦାନ କରିଥିଲେ। ସେଥିପାଇଁ ଏହାକୁ ଗୀତା କୁହାଯାଇଥାଏ। ସ୍ବୟଂ ଭଗବାନଙ୍କ ମୁଖ ନିଃସୃତ ବାଣୀ ହୋଇଥିବାରୁ ଏହି ଗ୍ରନ୍ଥର ନାମ ଭଗବତ ଗୀତା ହୋଇଛି। ଏହି ମହାଗ୍ରନ୍ଥରେ ୧୮ ଅଧ୍ୟାୟ ଏବଂ ୭୦୦ଟି ଶ୍ଳୋକ ରହିଛି। ଭଗବତ ଗୀତାରେ ଏକାଧିକ ବିଦ୍ୟା ସମ୍ପର୍କରେ ଉଲ୍ଲେଖ ରହିଛି। ଏହି ବିଦ୍ୟାଗୁଡ଼ିକ ମଧ୍ୟରୁ ଚାରିଟି ବିଦ୍ୟା ପ୍ରମୁଖ। ଅଭୟ ବିଦ୍ୟା, ସାମ୍ୟ ବିଦ୍ୟା, ଈଶ୍ୱର ବିଦ୍ୟା ଏବଂ ବ୍ରହ୍ମ ବିଦ୍ୟା। ଅଭୟ ବିଦ୍ୟା ମୃତ୍ୟୁ ଭୟ ଦୂର କରିଥାଏ ବୋଲି ବିଶ୍ୱାସ ରହିଛି। ସେହିପରି ସାମ୍ୟ ବିଦ୍ୟା ରୋଗ ଦ୍ୱେଷରୁ ମୁକ୍ତି ଦେଇଥାଏ। ଜୀବ ମଧ୍ୟରେ ସମାନତାର ଭାବ ପ୍ରକଟ କରିଥାଏ। ଈଶ୍ୱର ବିଦ୍ୟା ପ୍ରଭାବରେ ସାଧକ ଅହଂ ଏବଂ ଗର୍ବ ଭଳି ବିକାରରୁ ରକ୍ଷା ପାଇଥାଏ। ବ୍ରହ୍ମ ବିଦ୍ୟା ଦ୍ୱାରା ଅନ୍ତରାତ୍ମାରେ ବ୍ରହ୍ମ ଭାବ ଜାଗ୍ରତ ହୋଇଥାଏ। ଗୀତା ମାହାତ୍ମ୍ୟ ବିଷୟରେ ଶ୍ରୀକୃଷ୍ଣ ପଦ୍ମ ପୁରାଣରେ କହିଛନ୍ତି ଯେ, ଏ ଭବ ସାଗରର ବନ୍ଧନରୁ ମୁକୁଳିବା ନିମନ୍ତେ ଗୀତା ହିଁ ଏକମାତ୍ର ପବିତ୍ର ଗ୍ରନ୍ଥ। ଗୀତାର ଉଦ୍ଦେଶ୍ୟ ଈଶ୍ୱରଙ୍କ ଜ୍ଞାନ ବୋଲି ବିବେଚନା କରାଯାଇଥାଏ।
ଧର୍ମ-ଅଧର୍ମ, ସତ୍ୟ-ଅସତ୍ୟର ଯୁଦ୍ଧ ମହାଭାରତରେ କୌରବ ଏବଂ ପାଣ୍ଡବଙ୍କ ସେନା ପରସ୍ପରର ସାମ୍ନାସାମ୍ନି ଥିଲେ। ଅର୍ଜୁନଙ୍କ ସାରଥି ଭଗବାନ ଶ୍ରୀକୃଷ୍ଣ ରଥକୁ ଦୁଇ ସେନାଙ୍କ ମଧ୍ୟଭାଗକୁ ନେଇଗଲେ। ଅର୍ଜୁନ ଦେଖିଲେ ଯେ ତାଙ୍କ ସମ୍ମୁଖରେ ପିତାମହ ଭୀଷ୍ମ, ଗୁରୁ ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ ଏବଂ ତାଙ୍କ ଭ୍ରାତା, ସମ୍ପର୍କୀୟମାନେ ବିରୋଧୀ ପକ୍ଷରେ ଛିଡ଼ା ହୋଇଥିଲେ। ଅର୍ଜୁନ ସାହସ ହରାଇଲେ। ସେ ଶ୍ରୀକୃଷ୍ଣଙ୍କୁ କହିଲେ, ନିଜ ସ୍ବଜନ ଏବଂ ନିର୍ଦ୍ଦୋଷ ସୈନିକଙ୍କୁ ହତ୍ୟା କରିବା ଫଳରେ ଯେଉଁ ମୁକୁଟ ହାସଲ ହେବ, ତାହା ମୋତେ କି ସୁଖ ପ୍ରଦାନ କରିବ? ଅର୍ଜୁନ ସମ୍ପୂର୍ଣ୍ଣ ଭାବେ ଅବସାଦଗ୍ରସ୍ତ ହୋଇପଡ଼ିଥିଲେ। ସେ ନିଜ ଅସ୍ତ୍ରଶସ୍ତ୍ର କୃଷ୍ଣଙ୍କ ସମ୍ମୁଖରେ ଭୂମି ଉପରେ ରଖି ତାଙ୍କ ମାର୍ଗଦର୍ଶନ ମାଗିଲେ। ଏହି ସମୟରେ ଶ୍ରୀମଦ୍‌ ଭଗବତ ଗୀତାର ଜନ୍ମ ହୋଇଥିଲା। ଭଗବାନଙ୍କ ମୁଖନିଃସୃତବାଣୀକୁ ମହର୍ଷି ବେଦବ୍ୟାସ ଲିପିବଦ୍ଧ କରିଥିଲେ। ଏହା ହିଁ ଭଗବତ୍‌ ଗୀତା ଗ୍ରନ୍ଥର ରୂପ ନେଇଥିଲା। ଗୀତାର ଆଧ୍ୟାତ୍ମିକ ସିଦ୍ଧାନ୍ତ ସ୍ବୟଂସିଦ୍ଧ।
ଭଗବାନ ଶ୍ରୀକୃଷ୍ଣ ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ଅର୍ଜୁନଙ୍କୁ କହିଲେ- ହେ କୁନ୍ତୀ ପୁତ୍ର, ତୁମେ ନିଶ୍ଚୟକରି ଜାଣିରଖ, ମୋ ଭକ୍ତର କଦାପି ବିନାଶ ହୁଏନାହିଁ। ଏହି ପ୍ରସଙ୍ଗରେ ଯୁଗପୁରୁଷୋତ୍ତମ ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଛନ୍ତି, ମନୁଷ୍ୟ ପ୍ରବୃତ୍ତି ବଶତାରେ ବିନଷ୍ଟ ହୁଏ। ମନୁଷ୍ୟର ଦୁର୍ଭୋଗର ମୂଳରେ ଅଛି ପ୍ରବତ୍ତିଜନିତ କୁକର୍ମ। କିନ୍ତୁ ସବୁ ପ୍ରବୃିତ୍ତିକୁ ନେଇ ଇଷ୍ଟ ବା ଗୁରୁପୁରୁଷୋତ୍ତମଙ୍କଠାରେ ଅନ୍ତରାସୀ ହେଲେ ଆଉ ବିନଷ୍ଟ ହେବାର ଉପାୟ ନାହିଁ। ସବୁ ବୃତ୍ତି ସହ ଗୁରୁଙ୍କଠାରେ ଅଚ୍ଛେଦ୍ୟ ଭାବରେ ଚିରଦିନ ପାଇଁ ଅନ୍ତରାସୀ ହେଲେ ବିନଷ୍ଟିର ମୂଳ ମରିଯାଏ। ବୃତ୍ତିର ଅଧୀଶଙ୍କଠାରେ ବୃତ୍ତି ରୂପାନ୍ତରିତ ହୁଏ, ପ୍ରେମର ଦାବାଗ୍ନିରେ ଷଡ଼ରିପୁ, ଷଡ଼ଐଶ୍ୱର୍ଯ୍ୟର ନବକଳେବର ଲାଭ କରେ। ସଦ୍‌ଗୁରୁଙ୍କଠାରେ ଅଛି ଐଶ୍ୱର୍ଯ୍ୟ ଓ ଆଧିପତ୍ୟ। କଥା ପ୍ରସଙ୍ଗରେ ଶ୍ରୀ ଶ୍ରୀ ଠାକୁର କହିଲେ – ଭକ୍ତି ପରି ଆଉ ଜିନିଷ ନାହିଁ। ଭଗବତ୍‌ ଗୀତାର ଦ୍ୱାଦଶ ଅଧ୍ୟାୟରେ ଦ୍ୱିତୀୟ ଶ୍ଳୋକରେ ନିତ୍ୟଯୁକ୍ତା କଥା ଶୁଣି ଶ୍ରୀ ଶ୍ରୀ ଠାକୁର କହିଲେ, ଭକ୍ତିର ଲକ୍ଷଣ ହେଲା ସର୍ବଦା ଯୁକ୍ତ ରହିବା। ଇଷ୍ଟଙ୍କୁ ବାଦ ଦେଇ ଏକ ମୁହୂର୍ତ୍ତ ମଧ୍ୟ ଭକ୍ତକୁ ଭଲ ଲାଗେନାହିଁ। ଇଷ୍ଟ ବିସ୍ମୃତି ହେଲେ ଭକ୍ତର ପ୍ରାଣ ହାହାକାର ହୋଇଉଠେ। ଇଷ୍ଟ ଚିନ୍ତା ଓ ଇଷ୍ଟ କର୍ମ ହିଁ ଭକ୍ତର ଜୀବନ ସୂତ୍ର।
ଭଗବାନଙ୍କ ଅନନ୍ତସ୍ବରୂପରେ ସମଗ୍ର ବ୍ରହ୍ମାଣ୍ଡ ନିହିତ ଥିବା ଜାଣି ଅର୍ଜୁନଙ୍କର ହୃଦ୍‌ବୋଧ ହୋଇଥାଏ ଯେ ସେ ଯାହା କରିବାକୁ ଯାଉଛନ୍ତି, ସବୁକିଛି ବିଧି ନିର୍ଦ୍ଧାରିତ। ଗୀତାର ୧୮ଟି ଅଧ୍ୟାୟ ମାଧ୍ୟମରେ ଜୀବନର ସିଦ୍ଧ ସୂତ୍ର ସମଗ୍ର ମାନବ ଜଗତ ପାଇଁ ଭଗବାନ ଶ୍ରୀକୃଷ୍ଣ ପ୍ରଦାନ କରିଯାଇଛନ୍ତି। ଏଥିରେ ଜ୍ଞାନ, କର୍ମ, ଭକ୍ତି, ରାଜବିଦ୍ୟା, ବିଭୂତିଠାରୁ ମୋକ୍ଷର ମାର୍ଗ ସମ୍ପର୍କରେ ଉଲ୍ଲେଖ ରହିଛି। ଗୀତାର ଅମୃତ ଜ୍ଞାନ ହେଉଛି ‘ହେ ଅର୍ଜ୍ଜୁନ, କେବଳ କର୍ମ ଉପରେ ତୁମର ଅଧିକାର ରହିଛି, ଫଳ ଉପରେ ନୁହେଁ। ଏଣୁ ଫଳର ଆଶା ନ କରି କର୍ମ କର। କର୍ମ ନ କରିବା ଲାଗି ମଧ୍ୟ ତୁମ ମନରେ ଆସକ୍ତି ଉପତ୍ନ୍ନ ନ ହେଉ।
ସହ-ପ୍ରତିଋତ୍ୱିକ ଓ ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ
ମୋ : ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri