ସାଙ୍ଗ ନିକଟରେ ଲକ୍ଷାଧିକ ଟଙ୍କା ଥିବା ଜାଣି, ନୃଶଂସ ସାଜିଥିଲେ ଅଭିଯୁକ୍ତ

ଝାରସୁଗୁଡ଼ା ଅଫିସ,୧୮।୭ : ଝାରସୁଗୁଡା ବେହେରାମାଲ ଦୁର୍ଗା ମନ୍ଦିର ନିକଟ ଗଳିରେ ଗୁରୁବାର ବିପିନ ସାହା ନାମକ ଯୁବକଙ୍କୁ ହତ୍ୟାକରି ଅଭିଯୁକ୍ତ ଫେରାର ହୋଇଯାଇଥିଲା । ପୋଲିସ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି । ଏଥିରେ ସମ୍ପୃକ୍ତ ମୃତ ଯୁବକଙ୍କ ସାଙ୍ଗ ଦିଲୀପ ସାହା(୩୨)ଙ୍କୁ ପୋଲିସ ରାଉରକେଲାର ଏକ ହୋଟେଲରୁ ଶନିବାର ଗିରଫ କରିଛି । ତାଙ୍କ ନିକଟରୁ ୧ଲକ୍ଷ ୭୩ ହଜାର ୫ଶହ ଟଙ୍କା ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି ଓ ବାଇକକୁ ପୋଲିସ ଜବତ କରିଛି । ଏ ନେଇ ଝାରସୁଗୁଡା ସଦର ଥାନା କେସ ନଂ .୧୨୮/୨୧ ହତ୍ୟା ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ଏ ନେଇ ଏସ୍‌ପି ବିକାଶ ଚନ୍ଦ୍ର ଦାସ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଅଭିଯୁକ୍ତ ଦିଲୀପ ଗତ ୨ ବର୍ଷ ତଳେ ବିବାହ କରିଥିଲେ । ବିବାହ ସମୟରେ ସେ ଧାରଉଧାର କରି ଋଣଗ୍ରସ୍ତ ହୋଇ ଯାଇଥିଲେ । ଏହାକୁ ଶୁଝିବା ପାଇଁ ଦିଲୀପ ଚିନ୍ତାରେ ରହୁଥିଲେ । ଏଭଳି ସ୍ଥିତିରେ ଦିଲୀପ ସାଙ୍ଗ ନିକଟରେ ଲକ୍ଷାଧିକ ଟଙ୍କା ଥିବା ଜାଣିପାରି ତାଙ୍କ ନିକଟରୁ ଟଙ୍କା ହଡପ କରିବା ପାଇଁ ଏକ ଛୁରିରେ ତାଙ୍କ ଗଳାକୁ କାଟି ହତ୍ୟାକରି ଫେରାର ହୋଇଯାଇଥିଲେ ।