ଦେଶର ନୂତନ ସଂସଦ ଭବନ ଗୋଲାକାର ନୁହେଁ ବରଂ ନିର୍ମାଣ ହେବ ତ୍ରିଭୁଜ ଆକାରର, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଆମ ଦେଶର ନୂତନ ସଂସଦ ଭବନର ପ୍ରାରମ୍ଭିକ ଫଟୋ ପ୍ରକାଶ ପାଇଛି। ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ ଅଧୀନରେ ନିର୍ମାଣ ହେବାକୁ ଥିବା ଏହି ନୂତନ କୋଠାର ଭିତ୍ତିପ୍ରସ୍ତର ଡିସେମ୍ବର ୧୦ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସ୍ଥାପନ କରାଯାଇଛି। ଏହି ନୂତନ ସଂସଦ ଭବନର ଶୈଳୀ ଗୋଲାକାର ନ ହୋଇ ତ୍ରିକୋଣୀୟ ହେବ। ଏହାର ଆକାର ହେତୁ ଏହି କୋଠା ମଧ୍ୟ ଚର୍ଚ୍ଚାରେ ରହିଛି। ତେବେ ଜାଣନ୍ତୁ କାହିଁକି ଏହି ନୂତନ ଗୃହର ଆକୃତି ତ୍ରିକୋଣୀୟ ହେବାକୁ ଯାଉଛି?

ବାସ୍ତୁ ବ୍ୟତୀତ ନୂତନ ସଂସଦ ଭବନକୁ ସବୁ କ୍ଷେତ୍ରରେ ସୁନ୍ଦର କରିବା ପାଇଁ ଚେଷ୍ଟା କରାଯାଇଛି। ଏହି ନୂତନ କୋଠା ନିର୍ମାଣ ପାଇଁ ଅନେକ ଦେଶର ସଂସଦ ଯାଞ୍ଚ କରି କାରିଗରମାନେ ସେମାନଙ୍କଠାରୁ ପ୍ରେରଣା ନେଇଥିଲେ। ଏହି ଭବନର ତ୍ରିକୋଣୀୟ ଆକୃତି ମଧ୍ୟ ବାସ୍ତୁ ଅନୁସାରେ ସ୍ଥିର ହୋଇଛି। ଭାରତର ସଂସ୍କୃତିରେ ତ୍ରିକୋଣର ମହତ୍ତ୍ୱ ରହିଛି। ଏହା ବୈଦିକ ସଂସ୍କୃତିରେ ମଧ୍ୟ ଦେଖିବାକୁ ମିଳେ। ଯାହାକୁ ଏକ ତ୍ରିଭୁଜ କୁହାଯାଏ। ଅନେକ ପ୍ରକାରର ତାନ୍ତ୍ରିକ ରୀତିନୀତି ସମୟରେ ମଧ୍ୟ ତ୍ରିକୋଣୀୟ ଅଙ୍କନ କରାଯାଏ। ବିଶ୍ୱାସ କରାଯାଏ ଯେ, କେବଳ ଏହି ଆକୃତି ଦ୍ୱାରା ରୀତିନୀତି ସମ୍ପନ୍ନ ହୋଇପାରିବ।

ମୋଟ ଉପରେ କହିବାକୁ ଗଲେ ଦେଶରେ ନୂତନ ସଂସଦ ଭବନର ନିର୍ମାଣ ବୈଦିକ ଢଙ୍ଗରେ କରାଯିବ। ଯାହା ଦ୍ୱାରା ଏହି କୋଠା ଦେଶର ପ୍ରଗତିରେ ସହାୟକ ହୋଇପାରିବ। ଆକଳନ କରାଯାଇଛି ଯେ, କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଯାଉଥିବା ଏହି ନୂତନ ସଂସଦ ଭବନ ଗୋଟିଏ ବର୍ଷ ମଧ୍ୟରେ ଶେଷ ହେବ। ଏହି ନୂତନ କୋଠା ନିର୍ମାଣରେ ପ୍ରାୟ ୨୦୦୦ ଲୋକ ସିଧାସଳଖ ଜଡ଼ିତ ଥିବାବେଳେ ୯୦୦୦ ଲୋକଙ୍କ ଅଂଶ ରହିଛି।

ପୁରୁଣା ସଂସଦ ଭବନ ସହିତ ସମାନ ଥିବା ନୂତନ କୋଠା ନିର୍ମାଣ ପାଇଁ ଗତ ମାସରେ ଟାଟା ପ୍ରୋଜେକ୍ଟ ଲିମିଟେଡ ୮୬୧.୯୦ କୋଟି ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରିବ। ସଚିବାଳୟର ଅଧିକାରୀଙ୍କ ଅନୁଯାୟୀ, ନୂତନ ସଂସଦ ଭବନରେ ଏକ ଗ୍ରାଣ୍ଡ ସମ୍ବିଧାନ ହଲ୍‌ ମଧ୍ୟ ନିର୍ମାଣ ହେବ, ଯେଉଁଥିରେ ଭାରତୀୟ ସମ୍ବିଧାନର ମୂଳ କପି ବ୍ୟତୀତ ଅନ୍ୟ ଭାରତୀୟ ଗଣତାନ୍ତ୍ରିକ ଐତିହ୍ୟ ପ୍ରଦର୍ଶିତ ହେବ। ଏହା ବ୍ୟତୀତ ଏମ୍‌ପିମାନଙ୍କ ପାଇଁ ନୂତନ ସଂସଦ ଭବନର କମ୍ପ୍ଲେକ୍ସର ଲାଇବ୍ରେରୀ, ବିଭିନ୍ନ କମିଟିର କୋଠରୀ, କ୍ୟାଟ୍ରିଂ ରୁମ୍‌ ଏବଂ ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ ମଧ୍ୟ ରହିବ।

ତେବେ ନୂତନ ସଂସଦ ଭବନ ନିର୍ମାଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ବର୍ତ୍ତମାନର ସଂସଦ ଭବନରେ ସଂସଦୀୟ ଅଧିବେଶନ ଅନୁଷ୍ଠିତ ହେବ।

Share