ଟୋକିଓ/ଲଣ୍ଡନ, ୩୦।୮: ସୁସ୍ବାଦୁ ତଥା ଅଧିକ ଚର୍ବିଯୁକ୍ତ ଖାଦ୍ୟ (ଫ୍ୟାଟି ଫୁଡ୍) ଦେଖିଲେ କେତେଜଣ ଲୋକ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ କାହିଁକି? ଏହାର ଉତ୍ତର ଖୋଜିବାକୁ ଯାଇ ଜାପାନର ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ମସ୍ତିଷ୍କ କୋଷରେ ଶକ୍ତି ଉତ୍ପାଦନ କରୁଥିବା ଏକ ବିଶେଷ ପ୍ରୋଟିନ୍ କିପରି ଚର୍ବିଯୁକ୍ତ ଖାଦ୍ୟ ପ୍ରତି ଆକର୍ଷଣ ଓ ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରିଥାଏ, ତାହା ଗବେଷକମାନେ ଚିହ୍ନଟ କରିଛନ୍ତି। ଜାପାନର ‘ଓସାକା ମେଟ୍ରୋପୋଲିଟାନ ୟୁନିଭର୍ସିଟି’ର ବୈଜ୍ଞାନିକମାନଙ୍କ ଅନୁସାରେ, ମସ୍ତିଷ୍କରେ ଥିବା ‘ଅପ୍ଟିକ ଆଟ୍ରୋଫି-୧’ (ଓପିଏ୧) ନାମକ ଏକ ପ୍ରୋଟିନ୍ ଭୋକ, ଆହାର ଏବଂ ଶରୀରର ଶକ୍ତି ସନ୍ତୁଳନ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ପ୍ରୋଟିନ୍୍ର ଅଭାବ ହେଲେ ଚର୍ବିଯୁକ୍ତ ଖାଦ୍ୟ ପ୍ରତି ଆକର୍ଷଣ ବଢ଼ିଥାଏ। ଏହି ଗବେଷଣା ପ୍ରସିଦ୍ଧ ବୈଜ୍ଞାନିକ ଜର୍ନାଲ ‘ଫେଡେରେଶନ ଅଫ୍ ଆମେରିକାନ ସୋସାଇଟିଜ୍ ଫର୍ ଏକ୍ସପେରିମେଣ୍ଟାଲ ବାୟୋଲୋଜି’ (ଏଫ୍ଏଏସ୍ଇବି)ରେ ପ୍ରକାଶ ପାଇଛି।
ମସ୍ତିଷ୍କର ନିମ୍ନଭାଗରେ (ପିଟ୍ୟୁଟାରି ଗ୍ରନ୍ଥି ଉପରେ) ରହିଛି ‘ହାଇପୋଥାଲାମସ’। ଏହା ଆମ ଶରୀରର ମୁଖ୍ୟ ‘କଣ୍ଟ୍ରୋଲ ସେଣ୍ଟର’ ଭାବେ କାର୍ଯ୍ୟ କରେ। ଶରୀରରେ କେତେବେଳେ ଆହାର ବା ଜଳର ଆବଶ୍ୟକତା ଅଛି, ତାହା ‘ହାଇପୋଥାଲାମସ’ ହିଁ ସୂଚାଇଥାଏ। ଏହି ଅଞ୍ଚଳରେ ଥିବା ବିଶେଷ ସ୍ନାୟୁକୋଷ ‘ଏମ୍ସି୪ଆର୍ ନ୍ୟୁରୋନ୍’ (ମେଲାନୋକୋର୍ଟିନ ୪ ରିସେପ୍ଟର ନ୍ୟୁରୋନ୍) ଭୋକ ଓ ଖାଦ୍ୟ ନିୟନ୍ତ୍ରଣ କରିଥାନ୍ତି। ଏହି କୋଷଗୁଡ଼ିକରେ ଥିବା ମାଇଟୋକଣ୍ଡ୍ରିଆ (କୋଷର ଶକ୍ତିକେନ୍ଦ୍ର) ଠିକ୍ ଭାବେ କାର୍ଯ୍ୟ କରିବା ପାଇଁ ଓପିଏ୧ ପ୍ରୋଟିନ୍ ଆବଶ୍ୟକ ହୋଇଥାଏ। ବୈଜ୍ଞାନିକମାନେ ମୂଷାଙ୍କ ଉପରେ ପରୀକ୍ଷଣକରି ଏହି ଓପିଏ୧ ପ୍ରୋଟିନ୍୍କୁ କାଢ଼ିଦେବା ପରେ ଦେଖିବାକୁ ପାଇଥିଲେ ଯେ, ସେହି ମୂଷାମାନେ ସାଧାରଣ ଖାଦ୍ୟ ଅପେକ୍ଷା ଅଧିକ ଚର୍ବିଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କଲେ ଏବଂ ସେମାନଙ୍କର ଓଜନ କ୍ଷୀପ୍ରଗତିରେ ବୃଦ୍ଧି ପାଇ ସେମାନେ ମୋଟାପଣର ଶିକାର ହେଲେ।
ଅଧ୍ୟୟନରୁ ଆଉ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଣ୍ଡିରା ମୂଷାଙ୍କ ତୁଳନାରେ ମାଈ ମୂଷାଙ୍କଠାରେ ଓପିଏ୧ ପ୍ରୋଟିନ୍୍ର ଅଭାବ ଯୋଗୁ ଫ୍ୟାଟି ଫୁଡ୍ ଖାଇବାର ଇଚ୍ଛା ଅଧିକ ଦେଖାଯାଇଥିଲା। ଓପିଏ୧ ଅଭାବରୁ ମାଇଟୋକଣ୍ଡ୍ରିଆ କୋଷଗୁଡ଼ିକୁ ଆବଶ୍ୟକ ଶକ୍ତି ଯୋଗାଇବାରେ ଅସମର୍ଥ ହୁଏ, ଯାହା ଫଳରେ ମସ୍ତିଷ୍କ ଆହାର ନିୟନ୍ତ୍ରଣ କରିବାରେ ବିଫଳ ହୋଇଥାଏ। ଏହି ଗବେଷଣା ଆଗାମୀ ଦିନରେ ମୋଟାପଣ ଓ ଅତ୍ୟଧିକ ଖାଇବା ସମସ୍ୟାର ସ୍ଥାୟୀ ଚିକିତ୍ସା ପାଇଁ ନୂଆ ବାଟ ଦେଖାଇବ। ତେବେ ବର୍ତ୍ତମାନ ଏହି ପରୀକ୍ଷଣ କେବଳ ମୂଷାଙ୍କ ଉପରେ କରାଯାଇଛି। ମଣିଷ ଶରୀରରେ ଏହି ପ୍ରୋଟିନ୍୍ ସମାନ ଭାବେ କାର୍ଯ୍ୟ କରୁଛି କି ନାହିଁ, ତାହା ସ୍ପଷ୍ଟହେବା ପାଇଁ ଆହୁରି ଅଧିକ ଅଧ୍ୟୟନର ଆବଶ୍ୟକତା ରହିଛି ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି।