ଜାଣନ୍ତୁ କ’ଣ ଖାଆନ୍ତି ବୈଭବ ସୂର୍ଯ୍ୟବଂଶୀ: ଲମ୍ବା ଛକା ପଛର ରହସ୍ୟ…

ନୂଆଦିଲ୍ଲୀ,୨୮।୧୧: ନିଜର ବିସ୍ଫୋରକ ବ୍ୟାଟିଂ ଓ ଲମ୍ବା ଲମ୍ବା ଛକା ପାଇଁ ଚର୍ଚ୍ଚାରେ ରହିଛନ୍ତି ଭାରତର ଯୁବ କ୍ରିକେଟ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀ। ମାତ୍ର ୧୫ ବର୍ଷ ବୟସରେ ତାଙ୍କ ବ୍ୟାଟିଂ ଦେଖି କ୍ରିକେଟ ପ୍ରେମୀ ଆଶ୍ଚର୍ଯ୍ୟ ହେଉଛନ୍ତି। ତାଙ୍କର ଏହି ଫିଟନେସ ଓ ଶକ୍ତି ପଛରେ ଖାଦ୍ୟପେୟର ମଧ୍ୟ ଗୁରୁତ୍ୱ ରହିଛି। ପୂର୍ବରୁ ଚିକେନ, ମଟନ ଓ ପିଜା ପସନ୍ଦ କରୁଥିବା ବୈଭବ ଏବେ ଫିଟନେସ୍‌କୁ ଧ୍ୟାନରେ ରଖି ଶାକାହାରୀ ଖାଦ୍ୟ ଗ୍ରହଣ କରୁଥିବା ଜଣାପଡ଼ିଛି।

ବୈଭବଙ୍କ ପିଲାଦିନର କୋଚ ମନୀଷ ଓଝା ଏକ ସାକ୍ଷାତକାରରେ ତାଙ୍କ ଖାଦ୍ୟପେୟ ସମ୍ପର୍କରେ ସୂଚନା ଦେଇଥିଲେ। ତାଙ୍କ କହିବା ଅନୁସାରେ, ବୈଭବଙ୍କୁ ପୂର୍ବରୁ ମଟନ ଓ ପିଜା ବେଶ ପସନ୍ଦ ଥିଲା। ସେ ମଟନ ଖାଇବାକୁ ମଧ୍ୟ ବହୁତ ଭଲ ପାଉଥିଲେ। କିନ୍ତୁ ଓଜନ ଓ ଫିଟନେସ୍‌କୁ ଦୃଷ୍ଟିରେ ରଖି ତାଙ୍କ ଖାଦ୍ୟ ତାଲିକାରୁ ଏସବୁକୁ ବାଦ ଦିଆଯାଇଛି। ବୈଭବଙ୍କୁ ମଟନ ନ ଖାଇବାକୁ ପରାମର୍ଶ ଦିଆଯାଇଛି। ପିଜାକୁ ମଧ୍ୟ ତାଙ୍କ ଡାଏଟ ଚାର୍ଟରୁ ହଟାଇ ଦିଆଯାଇଛି। ବର୍ତ୍ତମାନ ସେ ନିଜ ଖାଦ୍ୟପେୟ ପ୍ରତି ବେଶ ସଚେତନ ରହୁଛନ୍ତି।

ବୈଭବଙ୍କ ଡାଏଟ୍‌ର ଡାଲି, ପନିର, କ୍ଷୀର, ଦହି ଓ ଅନ୍ୟ ପ୍ରୋଟିନଯୁକ୍ତ ଶାକାହାରୀ ଖାଦ୍ୟ ସାମିଲ ରହିଛି। ଏହି ଖାଦ୍ୟ ତାଙ୍କୁ ଆବଶ୍ୟକ ଶକ୍ତି ଯୋଗାଇବା ସହ ଶରୀରର ଫିଟନେସ ଓ ରିକଭରିରେ ସହାୟକ ହେଉଛି। ତେବେ ତାଙ୍କ ବ୍ୟାଟିଂର ଶକ୍ତି କେବଳ ଡାଏଟ ଉପରେ ନିର୍ଭର କରେ ନାହିଁ; ଅଭ୍ୟାସ, ଟେକନିକ ଓ ଫିଟନେସ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ।

ଖବର ଲେଖାଯିବା ସମୟ ପର୍ଯ୍ୟନ୍ତ ବୈଭବ ଭାରତ ପକ୍ଷରୁ ୧୦ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳି ୧୦ଟି ପାଳିରେ ୨୯.୫୦ ହାରରେ ୨୯୫ ରନ ସଂଗ୍ରହ କରିଛନ୍ତି। ଏଥିରେ ଦୁଇଟି ଅର୍ଦ୍ଧଶତକ ରହିଛି। ଏହି ଫର୍ମାଟ୍‌ରେ ସେ ୨୬ଟି ଚୌକା ଓ ୨୨ଟି ଛକା ମାରିଛନ୍ତି।

ଆଇପିଏଲରେ ମଧ୍ୟ ବୈଭବ ନିଜ ବ୍ୟାଟିଂର ଜଲୱା ଦେଖାଇଛନ୍ତି। ଖବର ଲେଖାଯିବା ସମୟ ପର୍ଯ୍ୟନ୍ତ ସେ ୨୩ଟି ମ୍ୟାଚ୍‌ର ୨୩ଟି ପାଳିରେ ୪୪.୭ ହାରରେ ୧୦୨୮ ରନ କରିଛନ୍ତି। ଏଥିରେ ଦୁଇଟି ଶତକ ଓ ୬ଟି ଅର୍ଦ୍ଧଶତକ ରହିଛି। ଆଇପିଏଲ୍‌ରେ ତାଙ୍କ ବ୍ୟାଟ୍‌ରୁ ୯୬ଟି ଛକା ଓ ୮୧ଟି ଚୌକା ବାହାରିଛି।

 

Dharitri – Odisha’s No.1 Odia Daily

 

Share