ଆପଣଙ୍କର ଜୀବନସାଥୀ ମୀନ ରାଶିର କି? ଜାଣନ୍ତୁ କିଭଳି ତାଙ୍କର ସ୍ବଭାବ, କ’ଣ ସେମାନଙ୍କ ପସନ୍ଦ/ନାପସନ୍ଦ

ମୀନ ରାଶିଚକ୍ରର ସବୁଠାରୁ ସହଜ ରାଶି। ଏହାର ପ୍ରତୀକ ହେଉଛି ମାଛ। ରାଶିର ଗୁରୁ ବୃହସ୍ପତି। ଏହା ଜଳ ତତ୍ତ୍ୱର ରାଶି। ଏହି ଜାତକଧାରୀ ବ୍ୟକ୍ତିବିଶେଷ ଆଧ୍ୟାତ୍ମିକ, ନିସ୍ବାର୍ଥପର, ଦୟାଳୁ ଏବଂ ଭାବୁକ ହୋଇଥାନ୍ତି। ଏମାନେ କ୍ଷଣିକ ପାଇଁ ଉତ୍ତେଜିତ ହୋଇଯାଇଥାନ୍ତି। ଗୁରୁଙ୍କ ପ୍ରଭାବ ଯୋଗୁ ଏମାନେ ଶାରିରୀକ ଭାବେ ବୁଦ୍ଧିମାନ ଏବଂ ସୁସ୍ଥ ହୋଇଥାନ୍ତି। ଏମାନଙ୍କୁ ବାନ୍ଧି ରଖିବା ପସନ୍ଦ ନୁହେଁ। ଏମାନେ ନିଜ ନିଷ୍ପତ୍ତି ନିଜେ ନେଇଥାନ୍ତି। ବହୁମୁଖି ପ୍ରତିଭାର ଅଧିକାରୀ ହୋଇଥାନ୍ତି। କୌଣସି କାମ କରିବା ପୂର୍ବରୁ ଏମାନେ ବିଚାରବିମର୍ଶ କରିଥାନ୍ତି।

-ଆଧ୍ୟାତ୍ମିକ ସ୍ବଭାବର ହୋଇଥାନ୍ତି ମୀନ ରାଶିର ବ୍ୟକ୍ତିବିଶେଷ:
ମୀନ ରାଶିର ବ୍ୟକ୍ତି କଳ୍ପନାଶୀଳ ହୋଇଥାନ୍ତି। ଅନ୍ୟମାନଙ୍କ ଅପେକ୍ଷା ଏମାନଙ୍କର ଚିନ୍ତାଧାରା ଭଲ ଥାଏ। ହେଲେ ନିରାଶାପୂର୍ଣ୍ଣ ଦୃଷ୍ଟିକୋଣ ଯୋଗୁ ଅନେକଥର ବିଜୟକୁ ହାରରେ ପରିବର୍ତ୍ତନ କରିଥାନ୍ତି। ଏକାଗ୍ରତାର ଅଭାବ ରହିଥିବାରୁ ଏମାନେ କିଛି ନୂତନ କାର୍ଯ୍ୟ କରିବା ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥାଏ। ନିଜସ୍ବ ବିଚାରଧାରା ଯୋଗୁ ଯଦି ନେଇଥିବା ନିଷ୍ପତ୍ତି ଭୁଲ ପ୍ରମାଣିତ ହୋଇଥାଏ ତେବେ ଏମାନେ ନିରାଶ ହୋଇଥାନ୍ତି। ହେଲେ ଏମାନେ ଆଧ୍ୟାତ୍ମିକ ସ୍ବଭାବର ହୋଇଥାନ୍ତି। ପୂଜାପାଠରେ ଏମାନଙ୍କ ମନ ଲାଗିଥାଏ। ଆଦର୍ଶବାଦୀ ଜୀବନ ଜିଇଁବାରେ ଏମାନେ ବିଶ୍ୱାସ କରିଥାନ୍ତି।

-କ୍ଷମା ଏମାନଙ୍କର ବଡ଼ ଗୁଣ:
ମୀନ ରାଶି ବ୍ୟକ୍ତିବିଶେଷ ବହୁତ ରୋମାଣ୍ଟିକ ସ୍ବଭାବର ହୋଇଥାନ୍ତି। କ୍ଷମା ଏମାନଙ୍କର ବଡ଼ ଗୁଣ। ଏଥିସହ ଏମାନଙ୍କ ଆଚରଣ ସହାନୁଭୂତିପୂର୍ଣ୍ଣ ଥାଏ। ଅନ୍ୟମାନଙ୍କ କଥାର ପ୍ରଭାବ ଶୀଘ୍ର ପଡ଼ିଥାଏ। ଜୀବନରେ କୌଣସି ବଡ଼ ବିପଦ ଆସିଲେ ଏମାନେ ବିଚଳିତ ହୋଇଯାଇଥାନ୍ତି। ହେଲେ କିଛି ସମୟ ପରେ ନିଜ ଭାବନାକୁ ନିୟନ୍ତ୍ରଣକୁ ଆଣି ବିପଦ ସହ ଲଢ଼ିବାର ରାସ୍ତା ବାହାର କରିଦିଅନ୍ତି। କାର୍ଯ୍ୟକ୍ଷେତ୍ରରେ ଲଗ୍ନ ଏବଂ ଏକାଗ୍ରତା କାରଣରୁ ଏମାନେ ମାଲିକମାନଙ୍କ ନଜରରେ ଭଲ କର୍ମଚାରୀ ପାଲଟିଥାନ୍ତି।

-ଜୀବନସାଥୀଙ୍କ ପ୍ରଭାବ ବେଶୀ ପଡ଼ିଥାଏ:
ମୀନ ରାଶିର ଲୋକ ଆଶାବାଦୀ ଏବଂ ନିରାଶାବାଦୀ, ଉଭୟ ସ୍ବଭାବର। ସେ ଶୀଘ୍ର କାହାକୁ ନେଇ ରାୟ ବନାନ୍ତିନାହିଁ। ସବୁ ପ୍ରକାର ପରିସ୍ଥିତିରେ ନିଜକୁ ଢ଼ାଳି ନିଅନ୍ତି। ଅନ୍ୟମାନଙ୍କ ଉପରେ ବୋଝ ହେବା ପସନ୍ଦ ନୁହେଁ। ଜୀବନସାଥୀଙ୍କ ପ୍ରତି ସର୍ବଦା ସମର୍ପିତ ଥାନ୍ତି। ତାଙ୍କର ଭଲ ଏବଂ ଖରାପ ଗୁଣକୁ ଆପଣାଇଥାନ୍ତି। ଜୀବନସାଥୀଙ୍କ ରାୟ ଏବଂ ତାଙ୍କ ନିଷ୍ପତ୍ତି, ସେମାନଙ୍କ ଉପରେ ବହୁତ ପ୍ରଭାବ ପକାଇଥାନ୍ତି। ଏଭଳି ସ୍ବଭାବ ଯୋଗୁ ଭାଗ୍ୟ ଏମାନଙ୍କ ସହ ସବୁବେଳେ ରହିଥାଏ। ତାଙ୍କର ଉନ୍ନତି ହୋଇଥାଏ।

ମୀନ ରାଶି:
ସ୍ବାମୀ: ବୃହସ୍ପତି
ତତ୍ତ୍ୱ:ଜଳ
ଦିଗ: ଉତ୍ତର
ଶ୍ରେଷ୍ଠ ଦିନ: ରବିବାର, ମଙ୍ଗଳବାର, ଗୁରୁବାର
ଉତ୍ତମ ରଙ୍ଗ: ଲାଲ, ଗୋଲାପି, କମଳା, ହଳଦିଆ
ଶୁଭ ଅଙ୍କ: ୧,୩,୪,୯