ଏହି ବ୍ୟକ୍ତିଙ୍କ ଆଦେଶ ପରେ କଙ୍ଗନାଙ୍କ ଅଫିସ ଭାଙ୍ଗିଥିଲା ବିଏମ୍‌ସି: ହାଓ୍ବାର୍ଡରୁ ପଢ଼ାସାରି ହୋଇଛନ୍ତି ଆଇଏଏସ୍‌

ବମ୍ବେ: ମୁମ୍ବାଇରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ଅଫିସ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ବିଏମ୍‌ସି। ଏହାକୁ ନେଇ ସୋସିଆଲ ମିଡିଆଠାରୁ ଆରମ୍ଭ କରି ସମସ୍ତ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଏହି ପ୍ରସଙ୍ଗରେ ରାଜନୈତିକ ବୟାନବାଜି ମଧ୍ୟ ଜାରି ରହିଛି। ତେବେ ଆସନ୍ତୁ ଜାଣିବା କିଏ ସେ ବିଏମ୍‌ସି କମିଶନର ଯାହାଙ୍କ ନିର୍ଦ୍ଦେଶରେ କଙ୍ଗନାଙ୍କ ଅଫିସର ବେଆଇନ ନିର୍ମାଣ ଭାଙ୍ଗି ଦିଆଯାଇଛି।

ବର୍ତ୍ତମାନ ବିଏମ୍‌ସି କମିଶନର ଦାୟିତ୍ୱରେ ଅଛନ୍ତି ଆଇଏଏସ୍‌ ଅଫିସର ଇକବାଲ ସିଂହ। ସେ ୧୯୮୯ ବ୍ୟାଚ୍‌ର ଆଇଏଏସ୍‌। ସେ ରାଜସ୍ଥାନ ଗଙ୍ଗାନଗର ଜିଲାରେ ଜନ୍ମଗ୍ରହଣ କରିଥିଲେ। ସେ ଜୋଧପୁର କେନ୍ଦ୍ରୀୟ ବିଦ୍ୟାଳୟର ନିଜର ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ଏହାପରେ ସେ ଇଲେକ୍ଟ୍ରୋନିକ୍‌ ଏବଂ କମ୍ୟୁନିକେଶନରେ ବିଟେକ୍‌ କରିଛନ୍ତି। ଏହାପରେ ସେ ହାଓ୍ବାର୍ଡ ୟୁନିଭର୍ସିଟିରୁ ପବ୍ଲିକ ଆଡମିନିଷ୍ଟେଶନରେ ଡିଗ୍ରୀ କରିଛନ୍ତି। ଇକବାଲଙ୍କ ବେଶ୍‌ ପ୍ରଶାସନିକ ଅନୁଭବ ରହିଛି। ସେ ଗୃହ ମନ୍ତ୍ରଣାଳୟରୁ ଆରମ୍ଭ କରି ମହାରାଷ୍ଟ୍ରର ସହର ବିକାଶ ମନ୍ତ୍ରାଳୟରେ କାମ କରିଛନ୍ତି। ଏହାଛଡ଼ା ସେ ଥାନେର ଜିଲାପାଳ ମଧ୍ୟ ଥିଲେ।

କରୋନା କାଳରେ ମୁମ୍ବାଇର ଧାରାବି ଅଞ୍ଚଳରେ ନିଜ କାମକୁ ନେଇ ଇକବାଲଙ୍କ ପ୍ରଶଂସା କରାଯାଇଥିଲା। ଏହାକୁ ଦେଖି ଉଦ୍ଧବ ସରକାର ତାଙ୍କୁ ବିଏମ୍‌ସି କମିଶନର ଦାୟିତ୍ୱ ଦେଇଛନ୍ତି।

Share