୬୭ ବର୍ଷ ପରେ ଆମେରିକାରେ ଜଣେ ମହିଳାଙ୍କୁ ଦିଆଯିବ ମୃତ୍ୟୁଦଣ୍ଡ

ଓ୍ବାଶିଂଟନ୍‌,୨୦।୧୦: ୧୯୫୩ ପରେ ପ୍ରଥମଥର ପାଇଁ ଆମେରିକାରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ନେଇ ଘୋଷଣା କରାଯାଇଛି। ସେ ଜଣେ ମହିଳା। ତାଙ୍କ ନାମ ଲିସା ମଣ୍ଟଗୋମରୀ। ଅତ୍ୟନ୍ତ ନିଷ୍ଠୁର ଅପରାଧ ପାଇଁ ଡିସେମ୍ବର ୮ରେ ତାଙ୍କୁ ବିଷ ଇଞ୍ଜେକ୍ସନ ଦେଇ ମୃତ୍ୟୁଦଣ୍ଡ ଦିଆଯିବ। ୨୦୦୪ରେ ଆମେରିକାର ମିସୋରୀସ୍ଥିତ ଜଣେ ଗର୍ଭବତୀ ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା। ଏହି ହତ୍ୟା ଲିସାଙ୍କ ଦ୍ୱାରା କରାଯାଇଥିଲା। ସେ କେବଳ ହତ୍ୟା କରିନାହାଁନ୍ତି, ମୃତ ମହିଳାଙ୍କ ପେଟରୁ ପିଲା ମଧ୍ୟ ଅପହରଣ କରି ନେଇଥିଲେ। ହତ୍ୟା କରାଯାଇଥିବା ମହିଳାଙ୍କ ନାମ ବବି। ତାଙ୍କୁ ହତ୍ୟା କରାଯିବାବେଳେ ସେ ୮ ମାସର ଗର୍ଭବତୀ ଥିଲେ।
ଅଭିଯୁକ୍ତ ଲିସାଙ୍କ ଗର୍ଭପାତ ହେବା ଖବର ସେ ସ୍ବାମୀ ଏବଂ ପରିବାରକୁ ଲୁଚାଇବା ପାଇଁ ଏକ ଷଡଯନ୍ତ୍ର ରଚିଥିଲେ। କୌଣସି ସ୍ଥାନରୁ ବବି ଗର୍ଭବତୀ ଥିବା ଖବର ପାଇଁ ଲିସା କୁକୁର କିଣିବା ବାହାନାରେ ତାଙ୍କ ଘରକୁ ଯାଇଥିଲେ। କାରଣ ବବି ଏବଂ ତାଙ୍କ ସ୍ବାମୀ କୁକୁର ପ୍ରଜନନ କେନ୍ଦ୍ର ଚଳାଉଥିଲେ ଏବଂ ସେମାନେ କୁକୁର ବିକ୍ରି କରୁଥିଲେ। ବବିଙ୍କ ଘରେ ପଶିବା ପରେ ଲିସା ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ପେଟରେ ଏକ ଛୁରି ଭୁଷି ଶିଶୁକୁ ଗର୍ଭାଶୟରୁ ବାହାର କରି ନେଇଯାଇଥିଲେ। ପୋଲିସ ଲିସାଙ୍କୁ ଗିରଫ କରିବା ପରେ ସତ ପଦାକୁ ଆସିଥିଲା। ସୂଚନାଯୋଗ୍ୟ, ଶେଷଥର ପାଇଁ ୧୯୫୩ରେ ଜଣେ ବ୍ୟକ୍ତି ଆମେରିକାରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା।

Share