ନିଟ୍‌, ଜେଇଇ ପରୀକ୍ଷାକୁ ବିରୋଧ କରୁଥିବା ଏହି ୯ ବର୍ଷୀୟା ଝିଅ କିଏ ଜାଣନ୍ତି କି

ମଣିପୁରର ଲିସିପ୍ରିୟା କଙ୍ଗୁଜାମଙ୍କୁ ମାତ୍ର ୯ ବର୍ଷ ବୟସ। କଲେଜରେ ପଢିବାକୁ ତାଙ୍କର ପ୍ରାୟ ୧୦ ବର୍ଷ ଅଛି, ତଥାପି ସେ ଏନ୍‌ଇଇଟି ଏବଂ ଜେଇଇ ପରୀକ୍ଷାକୁ ସ୍ଥଗିତ ରଖିବାକୁ ଦାବି କରୁଛନ୍ତି। ଏହି କୁନି ଆକ୍ଟିଭିଷ୍ଟ(ଜଳବାୟୁ ପରିବର୍ତ୍ତନ କାର୍ଯ୍ୟକର୍ତ୍ତା) କହିଛନ୍ତି ଯେ ଯଦି ସେ ଚଳିତ ବର୍ଷ ଏହି ପରୀକ୍ଷାର ପରୀକ୍ଷାର୍ଥୀ ହୋଇଥାନ୍ତେ ତେବେ ସେ ପରୀକ୍ଷା ଦେବାକୁ ଏକ କେନ୍ଦ୍ରକୁ ଯିବା ଅପେକ୍ଷା ତାଙ୍କ ଘରେ ରହିବା ଭଲ ବୋଲି ଭାବିଥାନ୍ତେ।
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ମେଡିକାଲ ଏବଂ ଇଞ୍ଜିନିୟରିଂ ପରୀକ୍ଷା କରିବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମୋଦନ ପାଇବା ପରଠାରୁ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଅଭିଭାବକଙ୍କ ପର୍ଯ୍ୟନ୍ତ ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି। କରୋନା ସମୟରେ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ଲିସିପ୍ରିୟା ଟୁଇଟରରେ ବିରୋଧ କରିଛନ୍ତି। ଟୁଇଟରରେ ଲିସିପ୍ରିୟାଙ୍କ ୭୮ ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି। ସେ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା କରି ଚର୍ଚ୍ଚାକୁ ଆସିଥିଲେ। ୨୦୧୯ ଜୁନ୍‌ରେ ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନ ପ୍ରଣୟନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ବୋଧିତ କରି ସଂସଦ ଭବନ ଆଗରେ ପ୍ରଦର୍ଶନ କରିଥିଲେ ଲିସିପ୍ରିୟା। ଏହା ପରେ ସେ ସୋସିଆଲ ମିଡିଆରେ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଅନେକ ପୋଷ୍ଟ କରିବା ଆରମ୍ଭ କରିଥିଲେ। ଏଥିଯୋଗୁ ସେ ଲୋକପ୍ରିୟତା ହାସଲ କରିଥିଲେ। ସୂଚନାଯୋଗ୍ୟ, ଜଳବାୟୁ ପରିବର୍ତ୍ତନର ଉପରେ ମନ୍ତବ୍ୟ ଦେଇ ସାରା ବିଶ୍ୱରେ ଚର୍ଚ୍ଚା କେନ୍ଦ୍ରବିନ୍ଦୁ ସାଜିଥିବା ଗ୍ରେଟା ଥନବର୍ଗ ମଧ୍ୟ ନିଟ୍‌ ଏବଂ ଜେଇଇ ପରୀକ୍ଷାକୁ ସ୍ଥଗିତ ରଖିବାକୁ ଟୁଇଟ କରିଛନ୍ତି।

Share