ଛୁରି, ଟାଙ୍ଗିଆରେ ଆକ୍ରମଣ: ଜଣେ ମୃତ, ୩ ଅଟକ

ବଡ଼ବିଲ,୨୧ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀସ୍ଥିତ ସିରାଜୁଦ୍ଦିନ ହଟିଂରେ ରବିବାର ରାତିରେ କୌଣସି କାରଣରୁ ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ନାରଣ ପୂର୍ତ୍ତି । ହତ୍ୟା ଅଭିଯୋଗରେ ୩ ଭାଇଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ।

ମୃତକଙ୍କ ସ୍ତ୍ରୀ ମମତାଙ୍କ ଅଭିଯୋଗ ଅନୁଯାୟୀ, ଗତ ରାତିରେ କୌଣସି କାରଣକୁ ନେଇ ନାରଣ, ପଡ଼ୋଶୀ ଚନ୍ଦ୍ର ଗୋପ, ଇନ୍ଦ୍ର ଗୋପ ଓ ଆକାଶ ଗୋପ ୩ ଭାଇଙ୍କ ଘର ପାଖକୁ ଯାଇଥିଲେ। ସେଠାରେ ପ୍ରଥମେ ବଚସା ପରେ ସେମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ନାରଣଙ୍କ ମାଡ଼ରେ ଚନ୍ଦ୍ର ଗୋପ ଗୁରୁତର ହୋଇଥିଲାବେଳେ ତିନି ଭାଇ ଚନ୍ଦ୍ର, ଇନ୍ଦ୍ର ଏବଂ ଆକାଶ ଛୁରି ଓ ଟାଙ୍ଗିଆରେ ନାରଣଙ୍କୁ ଆକ୍ରମଣ କରିଥିଲେ । ଯାହାଫଳରେ ନାରଣଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଆହତ ଚନ୍ଦ୍ରଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଇଛି। ତେବେ କେଉଁ କାରଣ ନେଇ ନାରଣ ଓ ତିନିଭାଇଙ୍କ ମଧ୍ୟରେ ସଂଘର୍ଷ ଘଟିଲା ତାହା କିଛି ସ୍ପଷ୍ଟ ହୋଇପାରିନାହିଁ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ୩ ଭାଇଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ବଡ଼ବିଲ ପୋଲିସ।