ପ୍ୟାରିସରେ ରେଳ ଷ୍ଟେଶନରେ ଛୁରୀଧାରୀଙ୍କ ଆତଙ୍କ: ୬ ଆହତ…

ପ୍ୟାରିସ,୧୧।୧ :  ଫ୍ରାନ୍ସର ରାଜଧାନୀ ପ୍ୟାରିସର ଏକ ବ୍ୟସ୍ତବହୁଳ ରେଳ ଷ୍ଟେଶନରେ ବୁଧବାର ଛୁରୀ ଧରିଥିବା ଜଣେ ବ୍ୟକ୍ତି ୬ଜଣଙ୍କୁ ଆହତ କରିଛନ୍ତି। ଏଥିରେ ଜଣେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ପୋଲିସ କହିଛି ଯେ ପ୍ୟାରିସ ନର୍ଡରେ ସକାଳ ୬ଟା ୪୫ ସମୟରେ ଏହି ଘଟଣା ଘଟିଛି।

ଆକ୍ରମଣକାରୀଙ୍କୁ କାବୁ କରିବାକୁ ତାଙ୍କ ଉପରକୁ ପୋଲିସ ପକ୍ଷରୁ ଅନେକ ରାଉଣ୍ଡ ଗୁଳି ଚଳାଯାଇଥିଲା। ସେ ଗୁରୁତର ଆହତ ହୋଇଥିବା ପୋଲିସ କହିଛି। ଏହା ପରେ ତାଙ୍କୁ ଗିରଫ କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ କାହିଁକି ଛୁରୀରେ ଲୋକଙ୍କୁ ଆକ୍ରମଣ କରିଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ପ୍ୟାରିସ ଆଭ୍ୟନ୍ତରୀଣ ମନ୍ତ୍ରୀ ଜେରାଲ୍ଡ ଡାରମାନିନ କହିଛନ୍ତି ଯେ ବୁଧବାର ସକାଳେ ପ୍ୟାରିସ ନର୍ଡରେ ଜଣେ ବ୍ୟକ୍ତି ଅନେକ ଲୋକଙ୍କୁ ଆହତ କରିଛନ୍ତି। ତେବେ ଆକ୍ରମଣକାରୀଙ୍କୁ ଅଳ୍ପ ସମୟ ମଧ୍ୟରେ କାବୁ କରାଯାଇଥିଲା। ଏହି ଆକ୍ରମଣ ପରେ ପୋଲିସ ସମଗ୍ର ଅଞ୍ଚଳର ସୁରକ୍ଷାକୁ ବୃଦ୍ଧି କରିଛି।

Share